କ୍ଷୀର ସହ ଖାଆନ୍ତୁନି ଏହି ସବୁ ଜିନିଷ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ ହାନିକାରକ
କ୍ଷୀର ସ୍ୱାସ୍ଥ୍ୟ ପାଇଁ ବରଦାନଠାରୁ କମ୍ ନୁହେଁ । ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ ପରି ପୋଷକ ତତ୍ତ୍ୱ ମହଜୁଦ୍ ଥାଏ । ନିୟମିତ କ୍ଷୀର ପିଇବା ଦ୍ୱାରା କେତେକ ରୋଗରୁ ରକ୍ଷା ପାଇପାରିବେ । କିନ୍ତୁ ଜାଣନ୍ତି କି? କ୍ଷୀର ସହ କେତେକ ଖାଦ୍ୟ ଖାଇବା ଆଦୌ ଉଚିତ୍ ନୁହେଁ । ନଚେତ୍ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆୟୁର୍ବେଦ ଅନୁସାରେ କେତେକ ଖାଦ୍ୟ ରହିଛି, ଯାହାକୁ କ୍ଷୀର ପିଇବା ପରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ସୁସ୍ଥ ରହିବା ପାଇଁ ନିୟମିତ ଖାଦ୍ୟରେ ପୋଷକ ତତ୍ତ୍ୱରେ ଭରା ଖାଦ୍ୟକୁ ଗୁରୁତ୍ୱ ଦେବା ଉଚିତ୍ । ସେଥିପାଇଁ କ୍ଷୀରକୁ ଡାଏଟରେ ସାମିଲ୍ କରିବାକୁ କୁହାଯାଇଥାଏ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ-ଏ, ବି-୬, ଡି, କେ, ଫସ୍ଫରସ୍, ମ୍ୟାଗନେସିୟମ୍ ଓ ଆୟୋଡିନ୍ ଆଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ କେବେ କେବେ ଆମ ଭୁଲ୍ ଖାଦ୍ୟପାନୀୟର ପ୍ରଭାବ ଶରୀର ଉପରେ ପଡିଥାଏ । ଯାଦ୍ୱାରା ଆମେ ରୋଗରେ ପଡିଥାଉ । ଯେପରିକି କ୍ଷୀର ସହ ଫଳ ଖାଇବା ଶରୀର ପାଇଁ କ୍ଷତିକାରକ ।
ମାଛ ଖାଇବା ପରେ କ୍ଷୀର :
ମାଛ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ । କିନ୍ତୁ କ୍ଷୀର ଓ ମାଛକୁ ଏକାଠି ଖାଇବା ଅନୁଚିତ୍ । ନଚେତ୍ ପାଚନ ତନ୍ତ୍ରରେ ସମସ୍ୟା ଯେପରିକି ଫୁଡ୍ ପଏଜନିଂ, ପେଟ ଯନ୍ତ୍ରଣା ଆଦି ହେବାର ଆଶଙ୍କା ଉପୁଜିଥାଏ । ସେହିପରି ନଡିଆ ସହ କ୍ଷୀର ଏକାଠି ଖାଇବା ଅନୁଚିତ୍ ।
କ୍ଷୀର – ଦହି :
ଆୟୁର୍ବେଦ ଅନୁସାରେ କ୍ଷୀର ସହ ଦହି ଆଦୌ ଖାଇବା ଉଚିତ୍ ନୁହେଁ । ଏପରିକି କ୍ଷୀର ପିଇବାର କିଛି ସମୟ ପରେ ଦହି ଖାଇବା ମଧ୍ୟ ଅନୁଚିତ୍ । ନଚେତ୍ ପେଟଜନିତ ସମସ୍ୟା ଦେଖା ଦେଇପାରେ ।
ଖଟାଫଳ- କ୍ଷୀର:
କ୍ଷୀର ସହ ଖଟାଫଳ ମଧ୍ୟ ଖାଇବା ଅନୁଚିତ୍ । ଖଟା ଫଳ ଓ ଦୁଗ୍ଧ ଏକାଠି ଖାଇବା ଦ୍ୱାରା ବାନ୍ତି କିମ୍ବା ପେଟ ଯନ୍ତ୍ରଣା ହେବାର ଆଶଙ୍କା ରହିଥାଏ । ତେଣୁ ଖଟାଫଳ ଖାଇବାର ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍ ।
କ୍ଷୀର -ଗୁଡ଼ :
କିଛି ଲୋକ କ୍ଷୀରରେ ଗୁଡ଼ ମିଶାଇ ପିଇଥାନ୍ତି । କିନ୍ତୁ ଆୟୁର୍ବେଦରେ କୁହାଯାଇଛି କ୍ଷୀର ସହ ଗୁଡ଼ ମିଶାଇ ପିଇବା ପେଟ ପାଇଁ କ୍ଷତିକାରକ । ତେଣୁ ଏହାକୁ ବାରଣ କରାଯାଏ ।