ପରିକ୍ରମା ପ୍ରକଳ୍ପ : ପୂର୍ଣ୍ଣିମାରୁ ଦେବନିମନ୍ତ୍ରଣ

ପରିକ୍ରମା ପ୍ରକଳ୍ପ : ପୂର୍ଣ୍ଣିମାରୁ ଦେବନିମନ୍ତ୍ରଣ

ଭୁବନେଶ୍ୱର : ଜାନୁଆରୀ ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପବିତ୍ର କାର୍ୟ୍ୟକ୍ରମର ଭବ୍ୟ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହି କାର୍ୟ୍ୟକ୍ରମରେ ଯୋଗଦେବା ନିମନ୍ତେ ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଏଥିପାଇଁ ପୁରୀଠାରେ ରବିବାର ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୬ ତାରିଖରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । 
ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ୨୬ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧି ଓ ସେବାୟତମାନେ ଯାତ୍ରା ଆରମ୍ଭ କରିବେ। ୧୩ଟି ଟିମ୍‌ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ ପାଇଁ ଯାତ୍ରା କରିବେ ଓ ରାଜ୍ୟ ବାହାରକୁ ୧୭ଟି ଟିମ୍‌ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ ପାଇଁ ଯାତ୍ରା କରିବ। ସବୁ ପ୍ରତିନିଧି ଦଳ ଓ ସେବାୟତ ଭୁବନେଶ୍ୱରରେ ପହଞ୍ଚି ପ୍ରଥମ ନିମନ୍ତ୍ରଣ ପତ୍ର ଏକାମ୍ର ପୀଠାଧୀଶ୍ବର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ୟ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରି ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ।ରାଜ୍ୟମଧ୍ୟରେ ବିଭିନ୍ନ ଜିଲ୍ଲାର ଧାର୍ମିକ ପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗଠିତ ୧୩ଟି ଟିମ୍‌କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି।