ଡାଇନୋସରଠୁ ଆହୁରି ୧୯କୋଟି ବର୍ଷ ପୁରୁଣା ସାର୍କ

ଡାଇନୋସରଠୁ ଆହୁରି ୧୯କୋଟି ବର୍ଷ ପୁରୁଣା ସାର୍କ

 ଜୈବ ବିବର୍ତ୍ତନ ପ୍ରକ୍ରିୟାର ଅଂଶ ବିଶେଷ ଭୂପୃଷ୍ଠରେ ବିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ପ୍ରାଣୀ ଦେଖାଦେବା ସହ ଅନେକ ମଧ୍ୟ ବିଲୁପ୍ତ ହୋଇଯାଇଥା’ନ୍ତି । କୌଣସି ପ୍ରାକୃତିକ ଦୁର୍ବିପାକ ଅଥବା ପରିବର୍ତ୍ତିତ ପ୍ରତିକୂଳ ପରିସ୍ଥିତିରେ ପ୍ରାଣୀମାନେ ପରିବେଶ ସହ ଖାପ ଖୁଆଇ ନ ରହିପାରିବା ହେତୁ ସେମାନଙ୍କର ବିଲୋପନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ତେବେ ସାମୁଦ୍ରିକ ଜୀବ ସାର୍କ ଏପରି ଏକ ଜୀବ ଯାହା ପାଞ୍ଚ ପାଞ୍ଚଟି ଗଣବିଲୁପ୍ତିରୁ ମଧ୍ୟ ବର୍ତ୍ତିଯାଇଛି । ଏପରିକି ଗୋଟିଏ ନିର୍ଦ୍ଧିଷ୍ଟ ଗଣବିଲୁପ୍ତିରେ ପାଖାପାଖି ୯୬ ପ୍ରତିଶତ ସାମୁଦ୍ରିକ ଜୀବଙ୍କର ଗଣବିଲୁପ୍ତି ଘଟିଥିବା ବେଳେ ସାର୍କ କୌଣସି ମତେ ମୁକୁଳି ରହିପାରିଛି । ଜୀବଜଗତରେ ଏହାର ଏକ ତୁଳନାତ୍ମକ ସ୍ଥିତି ଦେଖିଲେ ସାର୍କମାନେ ପ୍ରାୟ ୪୫ କୋଟି ବର୍ଷ ତଳେ ଆସ୍ଥାନ ଜମାଇଥିବାର ପ୍ରମାଣ ବିଭିନ୍ନ ଜୀବାଶ୍ମ ଅନୁଧ୍ୟାନରୁ ଜଣାଯାଏ । ଅର୍ଥାତ୍‌ ଏହା ଭୂପୃଷ୍ଠରୁ ବିଲୁପ୍ତ ହୋଇ ଯାଇଥିବା ଡାଇନୋସର ଠାରୁ ୧୯ କୋଟି ବର୍ଷ ପୁରୁଣା ଓ ବୃକ୍ଷରାଜି ଉତ୍ପନ୍ନ ହେବାର ୯ କୋଟି ବର୍ଷ ପୂର୍ବରୁ ସେମାନଙ୍କର ସୃଷ୍ଟି ହୋଇଥିଲା ବୋଲି ଆକଳନ କରାଯାଏ ।

ଆମ ପାପୁଲି ଠାରୁ ଛୋଟ ଆକାରର ଡ୍ୱାର୍ଫ ଲାଣ୍ଟର୍ଣ୍ଣ ସାର୍କ ଠାରୁ ଆରମ୍ଭ କରି ଏକ ସ୍କୁଲ ବସ୍‌ ପରି ବିରାଟ ହ୍ୱେଲ୍‌  ସାର୍କ ଯାଏ ସମ୍ପ୍ରତି ୫୦୦ ପ୍ରଜାତିର ସାର୍କ ବଞ୍ଚି ରହିଛନ୍ତି । ସେମାନଙ୍କ ସଂପର୍କରେ ମଧ୍ୟ ଅନେକ ରୋଚକ ତଥ୍ୟ ରହିଛି । ତାହା ହେଉଛି ଅନ୍ୟ ପ୍ରାଣୀଙ୍କ ତୁଳନାରେ ସାର୍କମାନଙ୍କର ଜୀବନଧାରଣ କ୍ଷମତା ଯଥେଷ୍ଟ ଅଧିକ । ଉତ୍ତର ଆଟ୍‌ଲାଣ୍ଟିକ ପ୍ରଜାତି ସାର୍କଗୁଡ଼ିକ ହାରାହାରି ୨୭୨ ବର୍ଷ ଯାଏ ବଞ୍ଚିପାରୁଥିବା ଅନୁମାନ କରାଯାଏ । ଏପରିକି ସେମାନେ ୧୫୦ ବର୍ଷ ବୟସର ହେଲା ଯାଏ ମଧ୍ୟ ପ୍ରାପ୍ତବୟସ୍କ ହୋଇନଥା’ନ୍ତି । ସେହିପରି ଗ୍ରିନଲାଣ୍ଡ୍‌ ପ୍ରଜାତି ସାର୍କମାନେ ଅତିକମ୍‌ରେ ୪୦୦ ବର୍ଷ ଯାଏ ବଞ୍ଚିଥାନ୍ତି  । ସାର୍କମାନଙ୍କ ବଂଶବୃଦ୍ଧି ପାଇଁ କିଛି ପ୍ରଜାତି ଅଣ୍ଡା ଦେଉଥିବା ବେଳେ କିଛି ମଧ୍ୟ ଛୁଆ ଜନ୍ମ କରିଥା’ନ୍ତି । ଖାଲି ସେତିକି ନୁହେଁ, ଫ୍ରିଲଡ ସାର୍କ ବା ବାସ୍କିଂ ସାର୍କ ଆଦି ପ୍ରଜାତିର ଗର୍ଭଧାରଣ ଅବଧି ତିନି ବର୍ଷରୁ ବି ଅଧିକ ହୋଇଥାଏ । ସେମାନେ ଏକ ରକମର ନିରବ ପ୍ରାଣୀ । କାରଣ ଶବ୍ଦ ସୃଷ୍ଟି କରିବାର ଶାରୀରିକ ବ୍ୟବସ୍ଥା ସେମାନଙ୍କ ଠାରେ ନାହିଁ । ତେବେ ନିଜ ମନର ଭାଷାକୁ ସେମାନେ ଅଙ୍ଗଭଙ୍ଗୀ ଦ୍ୱାରା ବ୍ୟକ୍ତ କରିଥା’ନ୍ତି । ସେମାନେ କ୍ଷୀଣ ବିଦ୍ୟୁତ୍‌ ସ୍ରୋତକୁ ଠଉରଇପାରନ୍ତି ଏବଂ ତାହା ସେମାନଙ୍କୁ ଦିଗ ନିର୍ଣ୍ଣୟ କରି ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ।