୨ ବର୍ଷରେ ୬ଟି ବିରାଟ ସୁରକ୍ଷା ଜନିତ ତ୍ରୁଟି, ବିଶୃଙ୍ଖଳା ଚରମ ସୀମାରେ । ତଥାପି ସରକାର ବେଫିକର

୨ ବର୍ଷରେ ୬ଟି ବିରାଟ ସୁରକ୍ଷା ଜନିତ ତ୍ରୁଟି, ବିଶୃଙ୍ଖଳା ଚରମ ସୀମାରେ । ତଥାପି ସରକାର ବେଫିକର

ପୁରୀ ଶ୍ରୀମନ୍ଦିର, କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ନେବାକୁ ପ୍ରତ୍ୟକ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ପୁରୀରେ ପରିଲକ୍ଷିତ ହୋଇଥାଏ। ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ରହିଥିବା ବେଳେ କିଛିମାସ ହେବ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। କିନ୍ତୁ ଭିଡର ସୁଯୋଗ ନେଵାସହ ସୁରକ୍ଷାକର୍ମୀଙ୍କ ଅବହେଳା, ଅପାରଗତା ଓ ଦାୟିତ୍ୱହୀନତା ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷାରେ ଚରମ ଅବହେଳା ସାମ୍ନାକୁ ଆସିଛି। ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁରୀ ପୋଲିସ ଉପରେ ଅଙ୍ଗୁଳି ଉଠିଥିବା ବେଳେ ବୁଧବାର ଶ୍ରୀମନ୍ଦିର ଦଧିନଉତି ଉପରେ ବୃଦ୍ଧ ଚଢିବା ଘଟଣା ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ ପଦାରେ ପକାଇଛି। ମାଳମାଳ ସୁରକ୍ଷାକର୍ମୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପଶ୍ଚିମଦ୍ବାର ପଟେ ପ୍ରବେଶ କରି ସମ୍ପୃକ୍ତ ବୃଦ୍ଧ ଜଣକ ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିବା ଯୋଗୁଁ ପ୍ରାୟ ଏକଘଣ୍ଟା କାଳ ସୁରକ୍ଷାକର୍ମୀଙ୍କ ସମେତ ସେବାୟତମାନେ ନାକେଦମ ହୋଇଯାଇଥିଲେ । ତେବେ ବାରମ୍ବାର ସୁରକ୍ଷାକର୍ମୀଙ୍କ ଅବହେଳା ହେତୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହୁଥିବା ମତ ପ୍ରକାଶ ପାଇଛି। ସେପଟେ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ  ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି  ବିଶୃଙ୍ଖଳାକାରୀଙ୍କ ସମେତ ଦାୟିତ୍ବରେ ଅବହେଳା କରୁଥିବା ସୁରକ୍ଷାକର୍ମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ  ନେବାକୁ ମତ ପ୍ରକାଶ ପାଇଛି। 

ଆସନ୍ତୁ ଦେଖିବା ଶ୍ରୀମନ୍ଦିର ସୁରକ୍ଷାକୁ ନେଇ କିଛିମାସ ମଧ୍ୟରେ କିଭଳି ହୋଇଥିଲା ଚରମ ଅବହେଳା।

  1. ଶ୍ରୀମନ୍ଦିର ଭିତରକୁ ଜଣେ ଦୁର୍ବୁତ୍ତ ବିଳମ୍ବିତ ରାତ୍ରରେ ସୁରକ୍ଷାକର୍ମୀଙ୍କୁ ଚଖମା ଦେଇ ରୋଷଘର ଭିତରେ ପ୍ରବେଶ କରି 40ରୁ ଉର୍ଦ୍ଧ୍ବ ଚୂଲି ଭାଙ୍ଗି ଦେଇଥିଲେ।
  2. ମାଳମାଳ ସୁରକ୍ଷାକର୍ମୀ ଓ ଜେଟିପିଙ୍କ ଉପସ୍ଥିତିରେ ଭିଡର ସୁଯୋଗ ନେଇ ଜଣେ ବିଦେଶୀନି ଭିତରକୁ ପ୍ରବେଶ କରିଥିଲେ। ବିଦେଶୀ ପର୍ଯ୍ୟଟକ ଜଣକ ଶ୍ରୀମନ୍ଦିର ସିଂହଦ୍ଵାର ପଟେ ପ୍ରବେଶ କରି ବାହାରକାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ସୁରକ୍ଷାକର୍ମୀଙ୍କ ସହ ହାତାହାତୀ ମଧ୍ୟ ହୋଇଥିଲେ।
  3. ଚାରିଜଣ ଅଣହିନ୍ଦୁ ବାଂଲାଦେଶୀ ଶ୍ରୀମନ୍ଦିର ଭିତରକୁ ଅବାଧରେ ପ୍ରବେଶ କରି ମହାପ୍ରସାଦ ଆଣିଥିଲେ।
  4. 4. ଜଣେ କିନ୍ନର  ସୁରକ୍ଷା ବଳୟ ଭେଦକରି ସିଂହଦ୍ଵାର ଗୁମୁଟ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ମୃତ୍ୟୁବରଣ କରିଥିଲେ। ସେତେବେଳେ ମଧ୍ୟ ସୁରକ୍ଷାକର୍ମୀଙ୍କ ଅବହେଳା ପଦାରେ ପଡିଥିଲା। ତେବେ ଏତେସବୁ ଘଟଣା ଘଟିବା ପରେ ଗତକାଲିର ଘଟଣା ସବୁ ସୀମା ପାର୍ କରିଛି।  ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷାକର୍ମୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାସହ ଶ୍ରୀମନ୍ଦିର ଭିତରେ ସ୍ୱତନ୍ତ୍ର ସ୍କ୍ୱଆର୍ଡ/SQUAD ମୁତୟନ କରିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଦାବି କରିଛନ୍ତି। ସେପଟେ ବୁଧବାର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଅତରିକ୍ତ ଏସପି ସୁଶୀଲ ମିଶ୍ର। କେଉଁ ପରିସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ଭେଦ କରି ଦଧିନଉତି ଉପରକୁ ଚଢ଼ିଲା ତାର ତର୍ଜମା କରାଯାଉଛି, କିନ୍ତୁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ସୁରକ୍ଷାକର୍ମୀଙ୍କ ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରସଙ୍ଗରେ କୌଣସି ଉତ୍ତର ରଖିନାହାନ୍ତି ଅତରିକ୍ତ ଏସପି। ପୁରୀ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ହେଉଛି ଆମର ପ୍ରାଥମିକତା ।

ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମୋହନ ସରକାର ଯେଉଁଭଳି ଭାବରେ ଚାରିଦୁଆର ଖୋଲିଲେ, ଠିକ୍ ସେହିଭଳି ଭାବେ ଶ୍ରୀମନ୍ଦିର ସୁରକ୍ଷା ଦିଗରେ ସ୍ୱତନ୍ତ୍ର ନଜର ଦେବାକୁ ସବୁରି ମହଲରେ ଅନୁରୋଧ କରାଯାଇଛି।