ଓଡ଼ିଶାର ସଂସ୍କୃତି, ଐତିହ୍ୟ ପ୍ରସାର ମୁଖ୍ୟ ଲକ୍ଷ୍ୟ : ଉଦ୍ଘାଟିତ ହେଲା ‘ୱଣ୍ଡର କେଭ୍ସ’
ଭୁବନେଶ୍ୱର : ଖଣ୍ଡଗିରି ପାଦ ଦେଶରେ ଫୋର୍ଟ ଆଣ୍ଡ୍ କେଭ୍ସ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ‘ୱଣ୍ଡର କେଭ୍ସ’ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍ସିସି) କୋଲକାତାର ନିର୍ଦ୍ଦେଶକ ଆଶିଷ ଗିରି, ଏଏସ୍ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ସୁଶାନ୍ତ କର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଯୋଗ ଦେଇଥିଲେ।
ଏହି ଅବସରରେ ଶ୍ରୀ ଗିରି ଜି-୨୦ ଏବଂ ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଇଜେଡ୍ସିସି ଏବଂ ଏଏସ୍ଆଇ ସହାୟତାରେ ଏହି ଉତ୍ସବ ସାରା ଭାରତବର୍ଷରେ ଆୟୋଜିତ ହେଉଛି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଲେ ଇଜେଡ୍ସିସି ପକ୍ଷରୁ ପୂର୍ବାଞ୍ଚଳ ଜୋନ୍ରେ ୪ଟି ସ୍ଥାନରେ ଏହି କର୍ଯ୍ୟକ୍ରମ ହେଉଛି।
ବିହାରରେ ୨ଟି କାର୍ଯ୍ୟକ୍ରମ ସରିଥିବାବେଳେ ଏଏସ୍ଆଇ ସହାୟତାରେ ଏହି ଉତ୍ସବ ଖଣ୍ଡଗିରି-ଉଦୟଗିରିରେ ଅନୁଷ୍ଠିତ ହେବା ଏକ ଗର୍ବର ବିଷୟ। ଓଡ଼ିଶାର କଳା ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।
ସଙ୍ଗୀତା ପଣ୍ଡା ଓ ତାଙ୍କ ଗ୍ରୁପ ଦ୍ବାରା ଦେଶାତ୍ମ ସଙ୍ଗୀତ, ପଶ୍ଚିମବଙ୍ଗର ବିନାୟକ ଛଉ ଏବଂ ନଟୁଆ ଡ୍ୟାନ୍ସ ଏକାଡେମି ପକ୍ଷରୁ ପୁରୁଲିଆ ଛଉ, ଖୋର୍ଦ୍ଧା ପାଇକଙ୍କ ଦ୍ବାର ପାଇକ ଆଖଡ଼ା, ବାଲେଶ୍ବରର ଦୟାଲ ସଙ୍ଗୀତ ଏକାଡେମି ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଡ. ସ୍ନେହପ୍ରଭା ସାମନ୍ତରାୟଙ୍କ ଓ ଗ୍ରୁପ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଉପସ୍ଥାପକ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।
ଏହି ଅବସରରେ ସକାଳ ସାଢ଼େ ୬ଟାରୁ ଖଣ୍ତଗିରି ଛକରୁ ଖଣ୍ଡଗିରି ପାହାଡ଼ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୫ଶହ ଛାତ୍ରଛାତ୍ରୀଙ୍କ ‘ୱାକାଥନ୍’ ଓ ପରେ ଯୋଗାଭ୍ୟାସ କରିଥିଲେ। ଏହାକୁ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ସେହିପରି ୪ଜଣ ଜୈନ ଐତିହାସିକ ସ୍ବତନ୍ତ୍ର ଆଲୋଚକ ଭାବରେ ଯୋଗଦେଇ ଜୈନ ଧର୍ମ ଓ ଖଣ୍ଡଗିରିର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନୀ, ଐତିହ୍ୟ ଚିତ୍ର ପ୍ରଦର୍ଶନୀ ଓ ବି.କେ ଆର୍ଟ କଲେକ ତତ୍ତ୍ୱାବଧାନରେ କଳା ଶିବିର ଆୟୋଜିତ ହୋଇଥିଲା।