ଆଇପିଏଲରେ ମହାସମର : ପ୍ରଥମ ମ୍ୟାଚରେ ହାରିଲା ଚେନ୍ନାଇ ସୁପର କିଙ୍ଗସ
ଅହମ୍ମଦାବାଦ: ଲୋକପ୍ରୀୟ କ୍ରିକେଟ ଲିଗ୍ ଆଇପିଏଲ ୨୦୨୩ର ପ୍ରଥମ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସ୍ ଓ ଗୁଜରାଟ ଟାଇଟନ୍ସ। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ। ତେବେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୭୮ରନ୍ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ତେବେ ଗୁଜରାଟ ଟାଇଟନ୍ସ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିବା ବେଳେ ଏଥିରେ ଶୁବମାନ ଗିଲ୍ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ମହମ୍ମଦ ସାମି ଓ ଜେସେଫ ଦୁଇ ଦୁଇଟି ଓ୍ବିକେଟ ନେବରେ ସଫଳ ହୋଇଥିଲେ।
ଗୁଜରାଟ ଟାଇଟନ୍ସ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିବା ବେଳେ ଦଳକୁ ୩.୫ ଓଭର ବେଳକୁ ପ୍ରଥମ ଝଟ୍କା ଲାଗିଥିଲା। ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ବୋଲିଂରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ରିଦ୍ଧିମନ ଶାହା। ସେ ୨ଟି ଚୌକା ଓ ୨ଟି ଛକା ସହିତ ୧୬ ବଲ୍ରେ ୨୫ ରନ୍ କରିଥିଲେ। ପରେ ମୈଦାନକୁ ଓହ୍ଲାଇଥିଲେ ସାଇ ସୁଦର୍ଶନ। ଦଳ ୫ ଓଭର ପରେ ୧ ୱିକେଟ୍ ହରାଇ ୫୬ ରନ୍ ସଂଗ୍ରହ କରିଥିଲା। ତେବେ ୯.୩ ଓଭର ବେଳକୁ ଗୁଜୁରାଟକୁ ଦ୍ୱିତୀୟ ଝଟ୍କା ଲାଗିଥିଲା। ୧୭ ବଲରେ ୨୨ ରନ୍ କରି ପାଭିଲିୟନ ଫେରିଥିଲେ ସାଇ ସୁଦର୍ଶନ। ରାଜବର୍ଦ୍ଧନ ତାଙ୍କୁ ଆଉଟ୍ କରିଥିଲେ। ୧୨.୧ ଓଭର ବେଳକୁ ଦଳ ତୃତୀୟ ଓ୍ବିକେଟ ହରାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍ରେ ୮ ରନ୍କରି ରବିନ୍ଦ୍ର ଜାଡ଼େଜାଙ୍କ ଦ୍ବାରା ଆଉଟ୍ ହୋଇଥିଲେ।
ଦଳ ପକ୍ଷରୁ ଶୁବମାନ ଗିଲ୍ ଅର୍ଦ୍ଧଶତକ କରିଥିଲେ ବି ୧୪.୫ ଓଭର ବେଳକୁ ଶୁବମନ ଗିଲ୍ଙ୍କୁ କ୍ୟାଚ୍ ଆଉଟ କରିଥିଲେ ଋତୂରାଜ ଗାଏକଓ୍ବାଡ। ଗିଲ୍ ୩୬ ବଲ୍ରେ ୬ଟି ଚୌକା ଓ ୩ଟି ଛକା ସହିତ ୬୩ ରନ୍ କରି ପାଭିଲିୟନ ଫେରିଥିଲେ।ଦଳ ୧୬ ଓଭର ପରେ ୧୪୫୫ ରନ୍ ସଂଗ୍ରହ କରିଥିଲା ଦଳକୁ ଜିତିବା ପାଇଁ ୨୪ ବଲରେ ୩୪ ରନ୍ ଆବଶ୍ୟକତା ରହିଥିଲା। କିନ୍ତୁ ଅଚାନକ୍ ୫ମ ଓ୍ବିକେଟ ହରାଇବା ପରେ ମ୍ୟାଚ ଏକ ରୋମାଞ୍ଚକର ସ୍ତରକୁ ଆସିଥିଲା। ବିଜୟ ଶଙ୍କର ୨୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଜିତିବା ପାଇଁ ଗୁଜୁରାଟକୁ ଆବଶ୍ୟକତା ଥିଲା ୧୨ ବଲରେ ୨୩ ରନ୍। ତେବେ ଅନ୍ତିମ ଓଭରରେ ଏହି ଲକ୍ଷକୁ ହାସଲ କରିବାରେ ସକ୍ଷମ ହୋଇଥିଲା ଟିମ୍ ଗୁଜରାଟ ଟାଇଟନ୍ସ।