ପୁଣି ଫେରିବ ଆଇପିଏଲ

ପୁଣି ଫେରିବ ଆଇପିଏଲ

ପୁଣି ଫେରିବ ଆଇପିଏଲ
ନୂଆଦିଲ୍ଲୀ:କରୋନା ଆତଙ୍କ ପାଇଁ ଅଷ୍ଟ୍ରେଲିଆ ତାର ଅନ୍ତର୍ଜାତୀୟ ସୀମାକୁ ୬ ମାସ ପାଇଁ ସିଲ କରିଛି । ଏଭଳି ସ୍ଥିତିରେ ସେଠାରେ ଚଳିତ ବର୍ଷ ୧୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ୱେଣ୍ଟି-୧୦ ବିଶ୍ୱକପ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଇପିଏଲ ବିସିସିଆଇ ଏବେ ସେହି ଝରକା ଉପରେ ଆଖି ପକାଇଛି । କୌଣସି କାରଣରୁ ଯଦି ଟ୍ୱେଣ୍ଟି-୨୦ ବିଶ୍ୱକପ ସ୍ଥଗିତ ହୁଏ, ତା ହେଲେ ଆଇପିଏଲ -୧୩ କୁ ଅକ୍ଟୋବର ନଭେମ୍ବରରେ ଆୟୋଜନ କରିବାକୁ ଚିନ୍ତା କରାଯିବ ବୋଲି ମଙ୍ଗଳବାର ବିସିସିଆଇ ଜଣେ ଅଧିକାରୀ କହିଛନ୍ତି । ଏହି ବିଷୟରେ ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଯାଇ ସମ୍ପୃକ୍ତ ଅଧିକାରୀ ଜଣକ ମତ ରଖିଛନ୍ତି ଯେ ସମ୍ପ୍ରତି ଅଷ୍ଟ୍ରେଲିଆରେ ତାଲାବନ୍ଦ ଜାରି ରହିଛି । ୬ ମାସ ପର୍ଯ୍ୟନ୍ତ ସୀମା ଖୋଲାଯିବ ନାହିଁ ବୋଲି ମଧ୍ୟ ସେଠାକାର ସରକାର ଘୋଷଣା କରିଛନ୍ତି । କରୋନାର କାୟା ଦିନକୁ ଦିନ ବଢ଼ି ଚାଲିଥିବାରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଅନୁସରଣ କରିପାରେ । ସେପଟେ ଭାରତ ସରକାର ସୀମା ସିଲ ନେଇ ଏବେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ଏଣୁ ଆମ ପାଖରେ କେବଳ ଅକ୍ଟୋବର-ନଭେମ୍ବରର ସମୟ ରହିଛି । ତେବେ ସେତେବେଳେ ଟ୍ୱେଣ୍ଟି-୨୦ ବିଶ୍ୱକପ ଖେଳାଯିବାର ଅଛି । ବିଶ୍ୱକପ୍ ଯଦି ନ ହୁଏ, ତା ହେଲେ ଆମେ ଏହି ସମୟର ସଦୁପଯୋଗ କରି ପାରିବୁ । ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବା କିନ୍ତୁ ଆଇସିସି ପାଇଁ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ହୋଇପାରେ । ତେବେ ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବାର କୌଣସି ଯୋଜନା ଏବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଆଇସିସିର ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଟ୍ୱେଣ୍ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବା ନେଇ ଆମେ କୌଣସି ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ଆରମ୍ଭ କରିନୁ । ପୂର୍ବ ଯୋଜନା ଅନୁସାରେ ଏହା ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବ । ବିଶ୍ୱକପ ଯୋଜନା ଅନୁସାରେ ଖେଳାଯିବ ବୋଲି ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କେଭିନ ରୋବର୍ଟ୍ସ ଆଶା ପ୍ରକାଶ କରିଛନ୍ତି ।