ଆଜି ଆସିବ ଅଯୋଧ୍ୟା ରାୟ

ଆଜି ଆସିବ ଅଯୋଧ୍ୟା ରାୟ

ଆଜି ଆସିବ ଅଯୋଧ୍ୟା ରାୟ
ଅଯୋଧ୍ୟା/ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲା ରାୟ ଶନିବାର ପୂର୍ବାହ୍ନ ୧୦.୩୦ରେ ପ୍ରକାଶ ପାଇପାରେ। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ପୂର୍ବରୁ ମନ୍ଦିର ସହର ଅଯୋଧ୍ୟାରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ରାଜ୍ୟରେ ହାଇହାଲର୍ଟ ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ଡ୍ରୋନ୍‌କୁ ବ୍ୟବହାର କରାଯାଉଛି। ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିଜେଆଇଙ୍କ ଚାମ୍ବରରେ ଏକଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ତିଓ୍ବାରୀ ଓ ଡିଜିପି ଓମ୍‌ପ୍ରକାଶ ସିଂ ଯୋଗଦେଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେମାନେ ସିଜେଆଇଙ୍କୁ ଅବଗତ କରାଇଥିଲେ। ରାମ ଜନ୍ମଭୂମି ଥାନା, ରାମ ଜନ୍ମଭୂମି ନ୍ୟାସର କାର୍ଯ୍ୟଶାଳା ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଦୁଇଚକିଆ ଯାନଗୁଡ଼ିକର ତଲାସି ନେଉଥିବା ଦେଖାଯାଇଛି। ଅଯୋଧ୍ୟା ସମେତ ଉତ୍ତରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ଜିଲାକୁ ପର୍ଯ୍ୟାପ୍ତ ସୁରକ୍ଷା ବଳ ଯୋଗାଇଦିଆଯାଇଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ପି.ଭି. ରାମଶାସ୍ତ୍ରୀ କହିଛନ୍ତି।