ଆଜି ପ୍ରକାଶ ପାଇବ ବିଜେଡି ସଂକଳ୍ପ ପତ୍ର

ଆଜି ପ୍ରକାଶ ପାଇବ ବିଜେଡି ସଂକଳ୍ପ ପତ୍ର

ଆଜି ପ୍ରକାଶ ପାଇବ ବିଜେଡି ସଂକଳ୍ପ ପତ୍ର
ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବିଜେଡିର ସଂକଳ୍ପ ପତ୍ର । କଂଗ୍ରେସ ଓ ବିଜେପି ଜାତୀୟ ସ୍ତରରେ ଓ ଆଞ୍ଚଳିକ ସ୍ତରରେ ସେମାନଙ୍କ ସଂକଳ୍ପ ପତ୍ର ପ୍ରକାଶ କରିସାରିଛି । ଆଉ ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଅପରାହ୍ନରେ ବିଜେଡି ତାର ଇସ୍ତାହାର ପ୍ରକାଶ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ପ୍ରଚାରରୁ ଫେରିବା ପରେ ଇସ୍ତାହାର ପ୍ରକାଶ କାର୍ଯ୍ୟକ୍ରମରେ ଯୋଗଦେବେ । ନିର୍ବାଚନରେ ଭୋଟରଙ୍କ ମନ କିଣିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲମ୍ବା ତାଲିକା ଇସ୍ତାହାରରେ ରଖିଛନ୍ତି । କଂଗ୍ରେସ ତା ଇସ୍ତାହାରକୁ ହମ୍ ନିଭାୟେଙ୍ଗେ ନାଁ ଦେଇଥିବାବେଳେ ବିଜେପି ଏହା ସଂକଳ୍ପ ଭାରତ ନାଁ ଦେଇଛି । ବିଜେପି ୭୫ଟି ସଂକଳ୍ପକୁ ୨୦୨୨ସୁଦ୍ଧା କାର୍ଯ୍ୟକାରୀ କରିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ଅପରପକ୍ଷରେ ନ୍ୟାୟ ଯୋଜନାରେ ୨୦ପ୍ରତିଶତ ଗରିବଲୋକଙ୍କୁ ବାର୍ଷିକ ୭୨ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ପାଇଁ କଂଗ୍ରେସ ଘୋଷଣା କରିଛି । ତେଣୁ ଆଜି ବିଜେଡି ଇସ୍ତାହାରରେ କଣ ରହିବ ତାକୁ ନଜର ରଖିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସୂଚନାଯୋଗ୍ୟ ଯେ, ଗତକାଲି କଳାହାଣ୍ଡିଠାରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଲାଗି ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇଥିଲେ । ଗରିବ ଝିଅମାନଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ସେହିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୫ହଜାର କୋଟି ଟଙ୍କାର ସରକାରୀ କାର୍ଯ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଝିଅମାନଙ୍କ ଲାଗି କେଜିଠୁ ଆରମ୍ଭ କରି ମେଡିକାଲ, ଇଂଜିନିୟରିଂ ଆଦି ମାଗଣା ଶିକ୍ଷା ପ୍ରଦାନ କରାଯିବା ସଂପର୍କରେ ମଧ୍ୟ ଘୋଷଣା କରିଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାରରେ ଏସବୁ ସ୍ଥାନ ପାଇବା ସହ ଚାଷୀଙ୍କ ସଂପର୍କରେ ମଧ୍ୟ ବହୁ ଘୋଷଣା କରିବା ସମ୍ଭାବନା ରହିଛି ।