ଆଜିଠୁ ଚଳିଲା ନୂଆପାଞ୍ଜି

ଆଜିଠୁ ଚଳିଲା ନୂଆପାଞ୍ଜି

ଆଜିଠୁ ଚଳିଲା ନୂଆପାଞ୍ଜି
ପୁରୀ: ପବିତ୍ର ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ନୂତନ ପାଞ୍ଜି ପ୍ରଚଳିତ ହୋଇଛି । ତେବେ ଗତ ବର୍ଷ ଫନି ବାତ୍ୟା କରୋନା ଭଳି ଭୟଙ୍କର ସ୍ଥିତିକୁ ନେଇ ବିଚଳିତ ଲୋକଙ୍କ ପାଇଁ ଏ ବର୍ଷର କ’ଣ ରହିଛି ଫଳ, କେମିତି କଟିବ ଏ ବର୍ଷ । କରୋନା ଭଳି ମହାମାରୀ ବିଶ୍ୱରୁ ଟଳିବ କି ନାହିଁ ତାକୁ ନେଇ ପୁରୀର ବରିଷ୍ଠ ଗଣକବୃନ୍ଦ ସୂଚନା ଦେଇଛନ୍ତି । ସମାନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟୋତିର୍ବିଦ ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି, ଗଣନା ତଥା ନାରଦ ସଂହିତା ମୁତାବକ ଏ ବର୍ଷ ଏକ ଆଶ୍ୱସ୍ତିକର ଖବର ମିଳିବ । ସାରା ବିଶ୍ୱକୁ କବଳିତ କରିଥିବା କରୋନା ଭୂତାଣୁ ଆସନ୍ତା ଜୁନ ପହିଲାରେ ଟଳିବ । ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏ ରୋଗ ବିଶ୍ୱରୁ ସମ୍ପୂର୍ଣ୍ଣ ଟଳିଯିବ । ବିଶ୍ୱର ଦୁଇ ଜଣ ଡାକ୍ତର ଆୟୁର୍ବେଦ ଚିକିତ୍ସା ପଦ୍ଧତି ସହଯୋଗରେ ଜୁନରେ ଦୁଇ ଜଣ ଡାକ୍ତର ଔଷଧ ଉଦଭାବନ କରିବେ । ତେବେ ସେପ୍ଟେମ୍ବରରୁ ପୁଣି ଥରେ ଏକ ନୂଆ ସ୍ୱାସ୍ଥ୍ୟ ସମସ୍ୟା ଉଭା ହେବ, ମାତ୍ର ତାହା ଟଳିଯିବ ବୋଲି ଗଣନା କହୁଛି । ଗଣନା ମୁତାବକ, ଚଳିତ ବର୍ଷ ଆନନ୍ଦ ସମ୍ବତ୍ସରର ବର୍ଷ । ଆସନ୍ତା ୨୦୨୦ ମେ ୩୧ ତାରିଖରୁ ଏହା ଆରମ୍ଭ ହେବ । ବର୍ତ୍ତମାନ ପ୍ରମାଦି ସମ୍ବତ୍ସର ଚାଲିଥିବାରୁ ଫନି ଭଳି ବାତ୍ୟା ଓ କରୋନା ଭଳି ଭୂତାଣୁ ଭୟ ଉପସ୍ଥିତ ହୋଇଥିଲା । ମାତ୍ର ଜୁନ ୧ ରୁ ଏହା ଟଳିବ । ସେହିଦିନ ଠାରୁ କେତୁ ଧନୁ ରାଶିରେ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଟଳୁଥିବାରୁ କରୋନା ଭୟ ସେ ପର୍ଯ୍ୟନ୍ତ ଲାଗି ରହିବ । ତେବେ ବୃହସ୍ପତି ଜୁନ ୨୯ ରୁ ବଜ୍ରଗତିରେ ଧନୁ ରାଶିକୁ ଆସିବେ ଓ କେତୁ ସହିତ ଯୁକ୍ତ ହୋଇଯିବେ । ତେଣୁ କରୋନାର ଚିକିତ୍ସା ପାଇଁ ନୂତନ ଔଷଧ ଆବିଷ୍କୃତ ହେବ । ସମ୍ପ୍ରତି ବୃହସ୍ପତି ମକର ରାଶିରେ ଚଳୁଥିବାରୁ ଏବଂ ଶନି ସେଠାରେ ଉପସ୍ଥିତ ହୋଇଥିବାରୁ ବିଶ୍ୱର ଦୁଇ ଜଣ ଡାକ୍ତର ଆୟୁର୍ବେଦ ଚିକିତ୍ସାର ସାହାଯ୍ୟ ନେଇ କରୋନା ବିରୋଧୀ ନୂତନ ଔଷଧର ଆବିଷ୍କାର କରିବେ । ଏ ବର୍ଷର ଶଶ୍ୟାୟ ୮ ବିଶୁଆ ଓ ବର୍ଷା ୧୦୦ ଦିନ ହେଉଥିବାରୁ ଅଧା ଶସ୍ୟ ଉତ୍ପାଦନ ହେବ । ଏ ବର୍ଷର ମନ୍ତ୍ରୀ ଶନି ହେଉଥିବାରୁ ଗୁଜୁରାଟ, ମହାରାଷ୍ଟ୍ର, ବିହାର ଭଳି ରାଜ୍ୟରେ ରାଜ ଉପଦ୍ରବ ଦେଖାଦେବ । ମଙ୍ଗଳ ପ୍ରଭାବରେ ଦିଲ୍ଲୀରେ ଭୂକମ୍ପ, ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଅଗ୍ନି ଭୟ ରହିବ । ଏ ବର୍ଷ ୨୧/୬ ରେ ସୂର୍ଯ୍ୟ ପରାଗ ହେବ । ଏଥର ଆଶ୍ୱିନ ଯୋଡ଼ା ମାସ ହେଉଥିବାରୁ ଏ ବର୍ଷର ହରିଶୟନ ଏକାଦଶୀ ଶ୍ରାବଣ ମାସରେ ଅନୁଷ୍ଠିତ ହେବ । ତେଣୁ ମୋଟାମୋଟି ଆନନ୍ଦ ସମ୍ବତ୍ସର ହେତୁ ଜୁନ ୧ ରୁ କ୍ରମଶଃ ରାଜା ଓ ପ୍ରଜା ଆଶ୍ୱସ୍ତ ହେବେ ।