ଆଜିଠୁ ମେକ୍ ଇନ୍ ଓଡ଼ିଶା

ଆଜିଠୁ ମେକ୍ ଇନ୍ ଓଡ଼ିଶା

ଆଜିଠୁ ମେକ୍ ଇନ୍ ଓଡ଼ିଶା

ଭୁବନେଶ୍ୱର :   ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାକୁମ୍ଭ ‘ମେକ୍‌ ଇନ୍‌ ଓଡ଼ିଶା ୩.୦’କୁ ଉଦ୍‌ଘାଟନ କରିବେ । ପ୍ଲେନାରି ଅଧିବେଶନରେ ଯୋଗ ଦେବେ ବେଦାନ୍ତ ରିସୋର୍ସେସ ଲିମିଟେଡ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆର୍ସେଲର ମିତ୍ତଲର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା,  ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ଏମ୍‌ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନଙ୍କ ସମେତ ନାମୀଦାମୀ ଶିଳ୍ପ ମହାରଥୀ  । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି । ପୂର୍ବ ଦୁଇଟି ସଂସ୍କରଣରେ ମିଳିଥିବା ମୋଟ ନିବେଶ ତୁଳନାରେ ଏଥର ଅଧିକ ନିବେଶ ଆସିବ ବୋଲି ସେ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଜାପାନ, ନର୍‌ୱେ, ଜର୍ମାନି, ଅଷ୍ଟ୍ରେଲିଆ, ନେପାଳ, ବାଂଲାଦେଶ, ଇଣ୍ଡୋନେସିଆରୁ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୧୧,୬୦୦ରୁ ଊଦ୍ଧ୍ୱର୍ ପଞ୍ଜୀକରଣ ସରକାରଙ୍କ ପାଖକୁ ଆସିଥିବାବେଳେ ଆୟୋଜକଙ୍କ ପକ୍ଷରୁ ୧୨୪ ଜଣ ବକ୍ତାଙ୍କୁ ଚୟନ କରାଯାଇଛି । ତେବେ ୫ ଦିନ ଧରି ୩୮ଟି କାର୍ୟ୍ୟକ୍ରମ ରହିଥିବା ଶ୍ରୀ ଦେବ ସୂଚନା ଦେଇଛନ୍ତି । ନିବେଶକଙ୍କ ପାଇଁ ୨୫ଟି କ୍ଷେ ତ୍ରୀୟ ଅଧିବେଶନର ଆୟୋଜନ କରାଯାଇଛି । ପୂର୍ବ ଦୁଇଟି ସଂସ୍କରଣ ତୁଳନାରେ ବିପୁଳ ନିବେଶ ସାଉଁଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୨୦୧୬ ଏବଂ ୨୦୧୮ ପୂର୍ବ ଦୁଇଟି ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଏବଂ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆଗ୍ରହ ଟାଣିଥିଲା ରାଜ୍ୟ । ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ତୃତୀୟ ସଂସ୍କରଣରୁ ବହୁ କିଛି ଆଶା ବାନ୍ଧିଛି ରାଜ୍ୟ । ଏଥର ୬ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶ ପ୍ରସ୍ତାବ ଆସିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।