ଆଦିତ୍ୟ ନିଜେ ଲେଖିଥିଲେ ଡାଏରୀ

ଆଦିତ୍ୟ ନିଜେ ଲେଖିଥିଲେ ଡାଏରୀ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତୁ୍ୟ ରହସ୍ୟ ଉପରୁ ଏଯାଏଁ ପରଦା ହଟିପାରିନି । ଜିଆରପି ପୁଲିସ ଘଟଣାର ଛାନଭିନ କରି ପଚରାଉଚରା ଜାରି ରଖିଛି । ତେବେ ମୃତୁ୍ୟ ପୂର୍ବରୁ ଆଦିତ୍ୟ ଦାସ ଯେଉଁ ଡାଏରୀ ଲେଖିଥିଲେ ସେହି ହାତଲେଖାକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା । ନିଜେ ଆଦିତ୍ୟ ଏହାକୁ ଲେଖିଥିଲେ ନା ତାଙ୍କ ଡାଏରୀରେ ଆଉ କିଏ ଲେଖି ତଦନ୍ତକୁ ବାଟବଣା କରିବା ପାଇଁ ଚାହୁଁଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଫଳରେ ଆଦିତ୍ୟଙ୍କ ଅକ୍ଷର ସହ ତାଙ୍କ ଡାଏରୀର ସୁଇସାଇଡ଼ ନୋଟର ଅକ୍ଷରକୁ ମେଳାଇବା ପାଇଁ ହ୍ୟାଣ୍ଡ ରାଇଟିଂ ବୁ୍ୟରୋକୁ ଦାୟିତ୍ୱ ଦିଆଯାଇଥିଲା । ଏହାର ରିପୋର୍ଟ ମିଳିଛି । ଡାଏରୀରେ ଆଦିତ୍ୟଙ୍କର ହାତ ଲେଖା ରହିଛି ବୋଲି ବୁ୍ୟରୋ ସ୍ପଷ୍ଟ କରିଛି । ଏନେଇ ଜିଆରପି ପୁଲିସକୁ ରିପୋର୍ଟ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟଯେ, ଆଦିତ୍ୟ ଦାସଙ୍କର ମର ଶରୀର ରେଲୱେ ଟ୍ରାକରୁ ମିଳିଥିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପ୍ରଶ୍ନ ଉଠିଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯଦି ଟ୍ରେନ ତାଙ୍କୁ ଧକ୍କା ଦେଇଥା’ନ୍ତା ତେବେ ଶବଟି ରେଳ ଟ୍ରାକରେ ପଡ଼ିନଥା’ନ୍ତା ବୋଲି କୁହାଯାଉଛି । ଅପରପକ୍ଷରେ ଯେଉଁ ପୁରୁଷୋତମ ଏକ୍ସପ୍ରେସ ତାଙ୍କୁ ଧକ୍କା ଦେଇଛି ବୋଲି କୁହାଯାଉଥିଲା ତାହାର ଲୋକୋ ପାଇଲଟ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ଟ୍ରେନ କାହାକୁ ଧକ୍କା କରିନଥିଲା ବୋଲି ଲୋକେ ପାଇଲଟ କହିଥିଲେ । ସେହିପରି ଘଟଣା ସମ୍ପର୍କରେ ଆଦିତ୍ୟଙ୍କ ପନôୀ ଦିବ୍ୟାଶ୍ରୀ, ତାଙ୍କର ସମ୍ପର୍କୀୟ, ଆଦିତ୍ୟଙ୍କ ବନ୍ଧୁ ଓ ଟ୍ରଷ୍ଟର କାର୍ଯ୍ୟକର୍ତାଙ୍କୁ ମଧ୍ୟ ଜିଆରପି ପୁଲିସ ପଚରାଉଚରା କରିଛି ।