ବିଜୁବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣା : ଆଜି ରାଜନଗର ବନ୍ଦ

ବିଜୁବାବୁଙ୍କ ମୂର୍ତ୍ତି ଭଙ୍ଗା ଘଟଣା : ଆଜି ରାଜନଗର ବନ୍ଦ

ରାଜନଗର : ରାଜନଗର ପୂର୍ବତନ ବିଧାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଏପରି ଘୃଣ୍ୟ ଓ ଅସାମାଜିକ କାର୍ଯ୍ୟ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆନ୍ଦୋଳନ ସାରା ଜିଲ୍ଲାକୁ ବ୍ୟାପିଛି । ରାଜନଗରବାସୀଙ୍କ ପକ୍ଷରୁ ଆସନ୍ତାକାଲି ସକାଳ ୬ ଟାରୁ ପୂର୍ବାହ୍ନ ୧୨ଟା ଯାଏ ରାଜନଗର ବନ୍ଦ ଡାକରା ଦିଆଯାଇଛି । ତାତି ବଢ଼ିବା ପରେ ବିଜୁ ସ୍ମୃତି ସଂସଦ ପରିସରକୁ ପ୍ରଶାସନ କବଜାକୁ ନେଇଛି । ଗତକାଲି ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ କେହି ଭାଙ୍ଗି ମୁଣ୍ଡକୁ ଅଲଗା କରି ଦେଇଥିଲେ । ଆଜି ସକାଳେ କଟା ମୁଣ୍ଡ ପ୍ରତିମୂର୍ତ୍ତି ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ତହସିଲଦାର ପ୍ରତିମୂର୍ତ୍ତିରେ ଧଳାକପଡ଼ା ପକାଇଥିବା ଜଣାପଡ଼ିଛି । ଘଟଣାରେ କେନ୍ଦ୍ରାପଡ଼ାଜ ଜିଲ୍ଲାପାଳ ହସ୍ତକ୍ଷେପ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ, ଆଇଆଇସି ତପନ କୁମାର ନାୟକ ବିଜୁ ସ୍ମୃତି ସଂସଦ ପରିସରକୁ ନାଲିପତାକା ମାରି କବଜାକୁ ନେଇଛନ୍ତି । ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି । ବିନା ଅନୁମତିରେ କେହି ଅବରୋଧ କରିପାରିବେ ନାହିଁ ବୋଲି ତହସିଲଦାର ନୋଟିସ ମାରିଛନ୍ତି । ମାତ୍ର ବିଜୁ ସ୍ମୃତି ସଂସଦ ପରିସରରେ ଥିବା ଘରକୁ ପ୍ରଶାସନ କବଜାକୁ ଆଣିନାହିଁ । ନୋଟିସ୍ ଦିଆଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।