ଆନ୍ଧ୍ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ଆନ୍ଧ୍ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ଆନ୍ଧ୍ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ୧୯୩୪ରେ ଜନ୍ମିତ ବିଶ୍ୱଭୂଷଣ ରାଜ୍ୟ ବିଜେପିର ଜଣେ ତୁଙ୍ଗ ନେତା ଭାବେ ବେଶ ପରିଚିତି ହାସଲ କରିଛନ୍ତି । ୧୯୭୧ରେ ସେ ଜନସଂଘରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଜନସଂଘର ସେ ଜାତୀୟ କାର୍ଯ୍ୟକାରୀ ସଭ୍ୟ ହେବା ସହ ରାଜ୍ୟ ଜନସଂଘର ସାଧାରଣ ସମ୍ପାଦକ ମଧ୍ୟ ରହିଥିଲେ । ୧୯୭୭ରେ ଜନତା ପାର୍ଟିରେ ଜନସଂଘର ବିଲୟ ହୋଇଥିଲା । ୧୯୭୭ରେ ସେ ଜନତା ପ୍ରାର୍ଥୀ ଭାବେ ଚିଲିକାରୁ ପ୍ରଥମ ଥର ପାଇଁ ବିଧାୟକ ହେବାର ସୌଭାଗ୍ୟ ପାଇଥିଲେ । ୧୯୯୦ରେ ମଧ୍ୟ ସେ ଚିଲିକାରୁ ବିଜୟ ଲାଭ କରି ବିଜୁ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ୧୯୯୬ରେ ସେ ବିଜେପି ଟିକେଟରେ ଭୁବନେଶ୍ୱରରୁ ଉପନିର୍ବାଚନ ଲଢ଼ି ବାଜିମାତ କରିଥିଲେ । ୨୦୦୦ ଓ ୨୦୦୪ରେ ସେ ପୁନଶ୍ଚ ବିଜୟୀ ହେବା ସହ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ହରିଚନ୍ଦନ ବହୁବାର ରାଜ୍ୟ ବିଜେପି ସଭାପତି ହେବା ସହ ବିଜେପି ବିଧାୟକ ଦଳ ନେତା ମଧ୍ୟ ରହିଥିଲେ । ଖାଲି ରାଜନୀତି ନୁହେଁ ସାହିତ୍ୟ କ୍ଷେତ୍ରରେ ବି ସେ ନିଜର କଲମର ଶକ୍ତି ପ୍ରଦର୍ଶନ କରିଛନ୍ତି । ମରୁ ବତାସ, ରାଣା ପ୍ରତାପ, ଶେଷ ଝଲକ, ଅସ୍ତ ଶିଖା, ମାନସୀ ଭଳି ଅନେକ ପୁସ୍ତକ ରଚନା କରିଥିବାବେଳେ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି ।