ଈଶାନ୍ତଙ୍କ ଟାର୍ଗେଟରେ ଧୋନି
ଈଶାନ୍ତଙ୍କ ଟାର୍ଗେଟରେ ଧୋନି
admin
Dec 30, 2019 - 06:03
Updated: Dec 30, 2019 - 06:03
ନୂଆଦିଲ୍ଲୀ: ଧୋନିଙ୍କ ଅଦଳବଦଳ ନୀତି ଦ୍ରୁତ ବୋଲରଙ୍କୁ ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା । ତାଙ୍କ ନେତୃତ୍ୱ ସମୟରେ ଧୋନି ୭/୮ ଜଣ ଦ୍ରୁତ ବୋଲରଙ୍କୁ ମନଇଛା ଅଦଳବଦଳ କରି ଦଳରେ ଖେଳାଉଥିଲେ । ଯାହାକି କାହାରିକୁ ବି ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା । ହେଲେ ବିରାଟ କୋହଲି ୩/୪ ଜଣ ବୋଲରଙ୍କୁ ନିୟମିତ ଭାବେ ଖେଳାଉଥିବାରୁ ଭାରତର ଦ୍ରୁତ ବୋଲିଂ ବାହିନୀ ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭାବେ ଉଭା ହୋଇଛନ୍ତି । ଏକଥା କହିଛନ୍ତି ଦଳର ଦ୍ରୁତ ବୋଲର ଈଶାନ୍ତ ଶର୍ମା । ଗତ ଦୁଇ ବର୍ଷ ଧରି ଈଶାନ୍ତ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ଅନ୍ୟତମ ପ୍ରମୋଘ ଅସ୍ତ୍ର ଭାବେ ପରିଗଣିତ ହୋଇଛନ୍ତି । ଏହି ୩୧ ବର୍ଷ ବୟସ୍କ ୨୦୦୭ରେ ରାହୁଲ ଦ୍ରାବିଡ୍ଙ୍କ ନେତୃତ୍ୱାଧୀନ ଦଳରେ ଟେଷ୍ଟ୍ ପଦାର୍ପଣ କରିବା ପରଠୁ ଅନିଲ କୁମ୍ବଲେ, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳିଛନ୍ତି । ହେଲେ ପୂର୍ବରୁ ପାରମ୍ପରିକ ଭାବେ ବିଶ୍ୱସ୍ତରର ସ୍ପିନର ସୃଷ୍ଟି କରି ପ୍ରସିଦ୍ଧି ଲାଭ କରିଥିବା ଭାରତ କିନ୍ତୁ ଏବେ ଦ୍ରୁତ ବୋଲିଂ ଆକ୍ରମଣ ପାଇଁ ବିଶ୍ୱ କ୍ରିକେଟରେ ପତିଆରା ସୃଷ୍ଟି କରିପାରିଛି । ଏହା କେବଳ କୋହଲି ନେତୃତ୍ୱ ନେବା ପରେ ସମ୍ଭବ ହୋଇପାରିଛି ବୋଲି ଈଶାନ୍ତ କହିଛନ୍ତି । ଧୋନିଙ୍କ ସମୟରେ ଆମେ କେହି ସ୍ଥିର ଭାବେ ଦଳରେ ରହିପାରୁନଥିଲୁ । ଯାହାଫଳରେ ଅଭିଜ୍ଞତା ସାଉଁଟିବାରେ ସମୟ ପାଉନଥିଲୁ । ଡ୍ରେସିଂ ରୁମରେ ଅଧିକ ସମୟ ବିତାଇବା ଏବଂ ଅଧିକରୁ ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ଦେଉନଥିଲେ ଧୋନି । ଯାହାକି ତାଙ୍କ ଅହେତୁକ ଅଦଳବଦଳ ନୀତି ହିଁ ଦ୍ରୁତ ବୋଲରଙ୍କୁ ସ୍ଥିର ପ୍ରଦର୍ଶନ ଦେବାରେ ସହାୟକ ହେଉନଥିଲା ବୋଲି ସେ କହିଛନ୍ତି ।