ଉପନିର୍ବାଚନକୁ ନେଇ ୩ ପ୍ରମୁଖ ଦଳର ବୟାନବାଜି
ଉପନିର୍ବାଚନକୁ ନେଇ ୩ ପ୍ରମୁଖ ଦଳର ବୟାନବାଜି
admin
Aug 19, 2020 - 08:58
Updated: Aug 19, 2020 - 08:58
ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । କିନ୍ତୁ ଏହି ଦୁଇଟି ଉପନିର୍ବାଚନରେ କିଏ ଜିତିବ ସେ ନେଇ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଚି । ଉଭୟ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ବିଧାୟକ ତଥା ତିର୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ କମିଟି ପ୍ରଭାରୀ ସୁରେଶ କୁମାର ରାଉତରାୟ କହିଛନ୍ତି । ଅନ୍ୟପଟେ ବିଜେପି ଓ ବିଜେଡି ଏହି ଦୁଇଟି ଆସନରେ ବାଜି ମାରିବେ ବୋଲି ପରସ୍ପର ଦାବି କରୁଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଗତକାଲି କମିଟି ଅଧ୍ୟକ୍ଷ ଚିରଞ୍ଜିବୀ ବିଶ୍ୱାଳଙ୍କ ସହ କଂଗ୍ରେସର ଏକ ଟିମ ତିର୍ତ୍ତୋଲ ଗସ୍ତ କରିଥିଲେ । ଏହି ଆସନ ପାଇଁ ଦଳ ପକ୍ଷରୁ ପୂର୍ବତନ ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ କିମ୍ବା ଝିଅ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଅଛନ୍ତି । ଏଥିସହିତ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ସମେତ ୫ ଜଣ ବ୍ୟକ୍ତି ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି । ଖୁବଶୀଘ୍ର ଉଭୟ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ କରାଯିବ । ବାଲେଶ୍ୱର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଗଲେ ଦଳର ପ୍ରଦର୍ଶନ ହେବ ଭଲ ହେବ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି ।
ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ କହିଛନ୍ତି ତିର୍ତ୍ତୋଲ ଓ ବାଲେଶ୍ୱର ପାଇଁ ପ୍ରାର୍ଥୀ ଚୟନ କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଚି । ଠିକ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ । ଏଥରକ ଉଭୟ ଆସନରେ ବିଜେପି ପ୍ରାର୍ଥୀ ହିଁ ଜିତିବେ । ଅନ୍ୟପଟେ ତିର୍ତ୍ତୋଲ ପାଇଁ ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୁପ୍ରସାଦ ତରାଇ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ସେହିପରି ବାଲେଶ୍ୱର ସଦର ଆସନ ପାଇଁ ବିଜେପିରୁ ସ୍ୱର୍ଗତଃ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇ ବିଧାନସଭା ଉପନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକି୍ରୟା ରଖି ଶ୍ରୀ ସ୍ୱାଇଁ କହିଥିଲେ, ଯଦି ଦଳ ତାଙ୍କୁ ପ୍ରାର୍ଥୀ କରିବ ତା ହେଲେ ସେ ଉପନିର୍ବାଚନରେ ଅବତୀର୍ଣ୍ଣ ହେବେ ।
ଅନ୍ୟ ପଟେ ବିଜେଡି ଏ ସମ୍ପର୍କରେ ମାପିଚୁପି ମତ ରଖିଛି । ଦଳ ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦୁଇଟି ଯାକ ଆସନରେ ପ୍ରାର୍ଥୀ କିଏ ହେବ ତାର ଚୂଡାନ୍ତ ନିଷ୍ପତ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ନେବେ । ତେବେ ତିର୍ତ୍ତୋଲ ବିଜେଡି ହାତରେ ଥିଲା ଓ ରହିବ । ସେହିପରି ଏଥରକ ବାଲେଶ୍ୱର ସଦରରେ ବି ଦଳ ପ୍ରଦର୍ଶନ କରିବ । ଲୋକେ ନିର୍ବାଚିତ ସରକାର ଓ ତା’ର କାର୍ଯ୍ୟକଳାପକୁ ଦେଖି ଭୋଟ ଦେବେ । ଉପନିର୍ବାଚନରେ ରେକର୍ଡ ଦେଖିଲେ ବିଜେଡି ହିଁ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛି ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।