ଋଷି କପୁର ଲେଖିଛନ୍ତି, ଅମିତାଭ ବଚ୍ଚନ ଜଣେ ମହାନ କଳାକାର
ଋଷି କପୁର ଲେଖିଛନ୍ତି, ଅମିତାଭ ବଚ୍ଚନ ଜଣେ ମହାନ କଳାକାର
admin
May 1, 2021 - 06:16
Updated: May 1, 2021 - 06:16
୬୭ ବର୍ଷ ବୟସରେ ଷ୍ଟାର ଆକ୍ଟର ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ । ଗତବର୍ଷ ଏପ୍ରିଲ୍ ୩୦ ତାରିଖରେ ତାଙ୍କର ଦେହାନ୍ତ ହେଇଥିଲା । ଅଭିନୟ ତ କରୁଥିଲେ ହେଲେ ସେ ଭାରି ଲାଜକୁଳା ବୋଲି ଅନେକ ଜାଣି ନଥିଲେ । ସେ ତାଙ୍କ ଆତ୍ମଜୀବନୀ ‘ଖୁଲ୍ଲମ୍ ଖୁଲ୍ଲା’ରେ ଅନେକ ଅକୁହା କଥା ଲେଖି ଯାଇଛନ୍ତି । ଏଥିରେ ସେ ନିଜ ପିତା ଅଭିନେତା-ନିଦେ୍ର୍ଧଶକ-ପ୍ରଯୋଜକ ରାଜ କପୁରଙ୍କ ପ୍ରେମସମ୍ପର୍କଠାରୁ ଆରମ୍ଭ କରି ନିଜ ପାଇଁ ପୁରସ୍କାର କିଣିଥିବା କଥା ବି ଲେଖିଛନ୍ତି । ଋଷି ଲେଖିଛନ୍ତି, ଅମିତାଭ ବଚ୍ଚନ ଜଣେ ମହାନ କଳାକାର । ୧୯୭୦ରେ ତାଙ୍କ ପାଇଁ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଧାରା ସୃଷ୍ଟି ହେଇଥିଲା । ତାଙ୍କଠାରୁ ହିଁ ଅଭିନୟରେ ଆକ୍ସନ ଆରମ୍ଭ ହେଇଥିଲା । ସେତେବେଳେ କେତେ କଳାକାର ଅମିତାଭଙ୍କ ଯୋଗୁଁ ବେକାର ହେଇଗଲେ । ‘ମୁଁ ୨୧ ବର୍ଷ ବୟସରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କଲି । ପ୍ରଥମେ ମୁଁ ଜଣେ କଲେଜପଢ଼ୁଆ ଯୁବକ ଭୂମିକାରେ ଅବତୀର୍ଣ୍ଣ ହେଲି । ମୁଁ ମୋ କାମକୁ ନେଇ ଯଦିଓ ପାଗଳ ଥିଲି, ତଥାପି ମୋ ଭିତରେ ଧାରଣା ଥିଲା ଯେ ଯଦି ଏକାଗ୍ରତାର ସହ କାମ କରେ ତେବେ ସଫଳତା ପାଇବି ।’ ଋଷି ଅମିତାଭଙ୍କ ସମ୍ପର୍କରେ ଲେଖିଛନ୍ତି ଯେ ସେତେବେଳେ ଅମିତାଭ ଓ ତାଙ୍କ ଭିତରେ କିଛି ଅକୁହା କଥା ଥିଲା ଯାହା ତାଙ୍କୁ ଚିନ୍ତାରେ ପକାଉଥିଲା । ହେଲେ ଏହା ଋଷିଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରି ନ ଥିଲା । କିଛି ବର୍ଷ ପରେ ଅମିତାଭଙ୍କ ସହ ତାଙ୍କୁ ‘ଅମର ଆକବର ଆନ୍ଥୋନି’ରେ ଏକାଠି ଅଭିନୟ କରିବାର ସୁଯୋଗ ମିଳିଲା । ଏହାପରେ ଅମିତାଭ ଓ ଋଷିଙ୍କ ମଧ୍ୟରେ ବନ୍ଧୁତା ବଢ଼ି ଯାଇଥିଲା । ଅମିତାଭ ତାଙ୍କଠାରୁ ବୟସରେ ୧୦ବର୍ଷ ବଡ଼ ଥିଲେ । ଅନ୍ୟମାନେ ଅମିତାଭଙ୍କୁ ଅମିତଜୀ କହି ସମ୍ବୋଧନ କରୁଥିବା ବେଳେ ଋଷି ତାଙ୍କୁ ସିଧା ‘ଅମିତାଭ’ ବୋଲି ଡାକୁଥିଲେ । ଏହା ତାଙ୍କ ପାଇଁ ପାଗଳାମି ଥିଲା ବୋଲି ଋଷି ସ୍ୱୀକାର କରିଛନ୍ତି ।