ଏଣିକି ରାଜ୍ୟରେ ଏକକ ପରୀକ୍ଷା
ଏଣିକି ରାଜ୍ୟରେ ଏକକ ପରୀକ୍ଷା
admin
Oct 22, 2019 - 09:40
Updated: Oct 22, 2019 - 09:40
ରାଜ୍ୟସ୍ତରରେ ପ୍ରସ୍ତୁତ ହୋଇଛି ୩.୬ କୋଟି ପ୍ରଶ୍ନପତ୍ର, ନଭେମ୍ବରରେ ଷାଣ୍ମାସିକ, ମାର୍ଚ୍ଚରେ ବାର୍ଷିକ ପରୀକ୍ଷା,
୮ଟି ଶ୍ରେଣୀର ୪୬ ଲକ୍ଷ ପରୀକ୍ଷାର୍ଥୀ
ଭୁବନେଶ୍ୱର : ଏଣିକି ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ପରୀକ୍ଷା ହେବ । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋଟିଏ ପ୍ରକାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ । ଚଳିତବର୍ଷ ଠାରୁ ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାରେ ଏଭଳି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଷାଣ୍ମାସିକ ପରୀକ୍ଷାରେ ଛାତ୍ରଛାତ୍ରୀ ନୂଆ ପଦ୍ଧତିରେ ପରୀକ୍ଷା ଦେବେ । ଏଥିପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇସାରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଅନୁଷ୍ଠିତ ହେଉଥିବା ଷାଣ୍ମାସିକ ପରୀକ୍ଷାରେ ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲା । ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ହେବା ସହ ଅଲଗା ସମୟରେ ପରୀକ୍ଷା କରାଯାଉଥିଲା । କେତେକ ଜିଲ୍ଲାସ୍ତରରେ ସହଜ ପ୍ରଶ୍ନପତ୍ର କରାଯାଉଥିବା ବେଳେ ଆଉ କିଛି ଜିଲ୍ଲାର ଛାତ୍ରଛାତ୍ରୀ କଷ୍ଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଉଥିଲେ । ତାହାକୁ ଦୃଷ୍ଟିରେ ରଖି ଏଥର ସାରା ରାଜ୍ୟ ପାଇଁ ଗୋଟିଏ ପ୍ରଶ୍ନପତ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ପ୍ରସ୍ତୁତ ଲାଗି ଏସ୍ସିଇଆରଟି ଓ ଛାପିବା ପାଇଁ ଟିବିପି ଆଣ୍ଡ ଏମକୁ ଦାୟିତ୍ୱ ଦିଆଯାଇଥିଲା । ସେହି ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉକ୍ତ ଦୁଇଟି ସଂସ୍ଥା ଇତିମଧ୍ୟରେ ପ୍ରଶ୍ନପତ୍ର ପ୍ରସ୍ତୁତ ଓ ଛପାଇବା କାର୍ଯ୍ୟ ଶେଷ କରିଛନ୍ତି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୪୬ ଲକ୍ଷ ଛାତ୍ରଛାତ୍ରୀ ଏଥର ଷାଣ୍ମାସିକ ପରୀକ୍ଷା ଦେବେ । ୮ଟି ଶ୍ରେଣୀ ପାଇଁ ୫୯ ବିଷୟରେ ମୋଟ ୩ କୋଟି ୬୦ ଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି ।
ମିଳିଥିବା ତଥ୍ୟ ଅନୁଯାୟୀ ୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ପ୍ରସ୍ତୁତ ସରିଛି । ଖୁବ୍ଶୀଘ୍ର ଜିଲ୍ଲାସ୍ତରକୁ ପଠାଯିବ । ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନେ ଭୁବନେଶ୍ୱରରୁ ପ୍ରଶ୍ନପତ୍ର ସଂଗ୍ରହ କରିବେ । ପରୀକ୍ଷା କେଉଁ ସମୟରେ ହେବ ସେନେଇ ଦିନ ଧାର୍ଯ୍ୟ କରାଯାଇ ଜଣାଇ ଦିଆଯିବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପ୍ରଶ୍ନପତ୍ରକୁ ଶିକ୍ଷକମାନେ ଭଲ ଭାବେ ପଢ଼ିବା ସହ ପିଲାଙ୍କୁ ବୁଝାଇବେ । ପ୍ରଶ୍ନପତ୍ରରେ ପ୍ରଶ୍ନ ଓ ଉତ୍ତର ଲେଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରଖାଯାଇଛି । ପ୍ରଥମରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଦେଢ଼ ଘଣ୍ଟା ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଦୁଇ ଘଣ୍ଟା ରହିଛି । ସରକାରୀ ନିୟମ ଅନୁଯାୟୀ ଚିଲଡ୍ରେନ୍ ଉଇଥ୍ ସ୍ପେସାଲ ନିଡ୍ (ସିଡବ୍ଲୁଏସ୍ଏନ୍) ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସମୟ ଦିଆଯିବ । ପ୍ରଶ୍ନପତ୍ର ଯେପରି ଲିକ୍ ନ ହୁଏ ସେଥିପ୍ରତି ପ୍ରଧାନଶିକ୍ଷକମାନେ ଗୁରୁତ୍ୱ ଦେବେ । ତେଲୁଗୁ, ବେଙ୍ଗଲି ଓ ଊର୍ଦ୍ଧୁ ଭାଷାରେ ପ୍ରଶ୍ନପତ୍ର ଜିଲ୍ଲାସ୍ତରରେ ପ୍ରସ୍ତୁତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଡିପିସିମାନଙ୍କୁ କୁହାଯିବ ।
ପରୀକ୍ଷା ସରିବା କ୍ଷଣି ଜିଲ୍ଲାସ୍ତରରେ ଖାତା ମୂଲ୍ୟାୟନ ହେବ । ସବୁ ଛାତ୍ରଛାତ୍ରୀ ଯେପରି ପରୀକ୍ଷାରେ ଭାଗନେବେ ସେଦିଗରେ ଡିପିସିମାନେ ଗୁରୁତ୍ୱ ଦେବାକୁ କୁହାଯାଇଛି । ମୂଲ୍ୟାୟନ ହୋଇଥିବା ଖାତାଗୁଡ଼ିକୁ ପ୍ରଧାନଶିକ୍ଷକ / ପ୍ରଧାନଶିକ୍ଷୟିତ୍ରୀମାନେ ନିଜ ସୁରକ୍ଷାରେ ରଖିବେ । ପରୀକ୍ଷା ଫଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ଏଥିସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଜଣାଇ ଦିଆଯିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ । କେଉଁ ପିଲାର କେଉଁଠି ଅସୁବିଧା ରହିଛି ତାହା ବି ନଜରକୁ ଆସିପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।