ଏନଡ଼ିଏ ସହ ସମ୍ପର୍କ ତୁଟାଇଲା ଶିବସେନା

ଏନଡ଼ିଏ ସହ ସମ୍ପର୍କ ତୁଟାଇଲା ଶିବସେନା

ଏନଡ଼ିଏ ସହ ସମ୍ପର୍କ ତୁଟାଇଲା ଶିବସେନା
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ସହିତ ତୀବ୍ର ବିବାଦ ପରେ ଶିବସେନା ଏବେ ଏନ୍ଡିଏରୁ ଓହରିଯାଇଛି । ବିଜେପି ଏବଂ ଶିବସେନା ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଶିବସେନା ଏଣିକି ବିରୋଧୀ ଦଳରେ ରହିବ ବୋଲି ସ୍ପଷ୍ଟ କରିଦେଇଛି । ଅନୁଷ୍ଠିତ ହେବାକୁ ଥିବା ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଶିବସେନା ସାମିଲ ହେବନାହିଁ ବୋଲି ଆଜି ଘୋଷଣା କରିଛି । ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ଏହା ବିରୋଧୀ ଦଳରେ ବସିବ । ବିଜେପି ସହ ପ୍ରାୟ ୩ ଦଶନ୍ଧି ଧରି ମହାରାଷ୍ଟ୍ରରେ ମେଣ୍ଟ କରିଥିବା ଶିବସେନା ଏବେ ସବୁ ସଂପର୍କ ତୁଟାଇ କଂଗ୍ରେସ ଏବଂ ଏନସିପି ସହିତ ହାତ ମିଳାଇଛି । ଆଜି ସେନାର ବରିଷ୍ଠ ନେତା ସଂଜୟ ରାଉତ କହିଛନ୍ତି ଯେ ପୁରୁଣା ଏନ୍ଡିଏ ଏବଂ ନୂଆ ଏନ୍ଡିଏ ମଧ୍ୟରେ ବହୁତ ଫରକ ରହିଛି । ଏନ୍ଡିଏର ଏବେ ଆବାହକ କିଏ ବୋଲି ରାଉତ ପ୍ରଶ୍ନ କରିଛନ୍ତି । ଲୋକସଭାରେ ଶିବସେନାର ୧୮ ସାଂସଦ ଅଛନ୍ତି ଏବଂ ସେମାନେ ବିରୋଧୀ ଦଳରେ ବସିବେ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । କେନ୍ଦ୍ର ସରକାରରୁ ଶିବସେନା ଓହରି ଆସିଥିବାରୁ ବିଜେପି ତଥା ଏନ୍ଡିଏ ସହିତ ଆମର କିଛି ସଂପର୍କ ନାହିଁ ବୋଲି ସେ କହିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଇତିମଧ୍ୟରେ ମିଳିତ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମପି) ପ୍ରସ୍ତୁତ କରିସାରିଛନ୍ତି । ସପ୍ତାହକ ମଧ୍ୟରେ ନୂଆ ସରକାର ଗଠନ ପାଇଁ ଏବେ ୩ ତିନି ଦଳ ମଧ୍ୟରେ ଆଲୋଚନା ଜାରି ରହିଛି ।