ଏପ୍ରିଲ ୧୪ ପରେ ବଢ଼ିବ କି ଲକଡାଉନ, ଦେଖନ୍ତୁ ଏହି ରିପୋର୍ଟ।
ଏପ୍ରିଲ ୧୪ ପରେ ବଢ଼ିବ କି ଲକଡାଉନ, ଦେଖନ୍ତୁ ଏହି ରିପୋର୍ଟ।
admin
Apr 8, 2020 - 13:42
Updated: Apr 8, 2020 - 13:42
ଲକଡାଉନ ଏବଂ ବ୍ୟାପକ ସତର୍କତା ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ୧୪ଟି ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି । ବିଭିନ୍ନ ସ୍ଥାନରେ ଏବେ କରୋନା ହଟସ୍ପଟ ଚିନ୍ତା ବଢ଼ିଗଲାଣି । ଏବେ ଦେଶର କିଛି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ବେଳେ ଭାରତ ଏବେ ଷ୍ଟେଜ ୨ ଏବଂ ଷ୍ଟେଜ ୩ ମଧ୍ୟରେ ଅଛି ବୋଲି ଜଣାପଡ଼ିଥିବାରୁ କେନ୍ଦ୍ର ସରକାର ଲକଡାଉନ ଅବଧି ବଢ଼ାଇବା ପାଇଁ ବିଚାର ବିମର୍ଶ ଜାରି ରଖିଛନ୍ତି ।
ଦେଶବ୍ୟାପୀ ଲକଡାଉନ ମଙ୍ଗଳବାରକୁ ୨ ସପ୍ତାହ ପୂରିଛି । ଆସନ୍ତା ଏପ୍ରିଲ ୧୪ ତାରିଖରେ ୨୧ ଦିନିଆ ଲକଡାଉନ ଅବଧି ସରୁଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ଲକଡାଉନ ଅବଧି ବଢ଼ାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେଣୁ ସରକାର ଲକଡାଉନ ଅବଧି ବଢ଼ାଇବା ନେଇ ବିଚାର କରୁଛନ୍ତି ବୋଲି ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ବଢ଼ାଇବାକୁ କହିଥିଲେ । ଲକଡାଉନ ହଟିଲେ ଦେଶରେ ଅନେକ ଜୀବନହାନି ହେବ ବୋଲି ଶ୍ରୀ ରାଓ କହିଥିଲେ । କେସିଆରଙ୍କ ପୂର୍ବରୁ ଉତ୍ତର ପ୍ରଦେଶ ସରକାର ବି ୧୪ ତାରିଖରେ ଲକଡାଉନ ହଟିବନି ବୋଲି ପୂର୍ବରୁ ସୂଚାଇ ଦେଇଛନ୍ତି । ସେହିପରି ପଞ୍ଜାବରେ ଜଣେ ବରିଷ୍ଠ ଅମଲା ଏବଂ ମହାରାଷ୍ଟ୍ରରେ ଜଣେ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି । ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି, ଲକଡାଉନର ଶେଷ ସପ୍ତାହ ଅତ୍ୟନ୍ତ ଚିନ୍ତାଜନକ । କରୋନା ଭାଇରସ ବ୍ୟାପିବା ତଥ୍ୟକୁ ଆଧାର କରି ସରକାର କିଛି ନିଷ୍ପତ୍ତି ନେବେ । ତେବେ ସରକାର ଯେକୌଣସି ନିଷ୍ପତ୍ତି ନେବେ ବି ସମସ୍ତ ଲୋକ ଏହାକୁ ମାନିନେବା ପାଇଁ ନାଇଡୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷେ ସରକାରଙ୍କ ପୋର୍ଟାଲ ‘ମାଇଁଗଭଇଣ୍ଡିଆ’ର ଟ୍ୱିଟର ହ୍ୟାଣ୍ଡେଲରେ ଲକଡାଉନ ଅବଧି ବଢ଼ିବାର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ୍ ସଚିବ ରାଜୀବ ଗୌବା ଟ୍ୱିଟ କରିଥିଲେ । ତେବେ ଏହି ଟ୍ୱିଟକୁ ପ୍ରତ୍ୟାହାର କରି ନିଆଯାଇଥିବାରୁ ଏହା ଲକଡାଉନ ଅବଧି ବଢ଼ିବା ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।