ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
admin
Feb 28, 2020 - 07:10
Updated: Feb 28, 2020 - 07:10
ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ପୂର୍ବାଞ୍ଚଳ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟରେ ଯୁଝୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ଦାବି କରିଛନ୍ତି । ସେହିପରି ବ୍ୟାଙ୍କ, ଟେଲି ଘନତ୍ୱ ଓ କୋଇଲା ରୋୟାଲଟି ବୃଦ୍ଧି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଟେଲି, ବ୍ୟାଙ୍କ, ରେଳ ଓ ରୋଡ ଘନତ୍ୱରେ ପୂର୍ବାଞ୍ଚଳ ନିମ୍ନରେ ରହିଛି । ଜାତୀୟ ହାରସ୍ତରକୁ ଆଣିବାକୁ ହେଲେ ଅଧିକ କେନ୍ଦ୍ର ଅନୁଦାନ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସେହିପରି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି । ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସେ ଦାବି କରିଛନ୍ତି । ୨୦୧୨ରୁ ଏଯାଏଁ କୋଇଲା ରୟାଲଟି ନବୀକରଣ କରାଯାଇନାହିଁ । ତୁରନ୍ତ କୋଇଲା ରୟାଲଟି ବୃଦ୍ଧି ଓ କ୍ଲିନ ଏନର୍ଜି ସେସ ଭାଗ ଲୋଡ଼ା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଅନ୍ୟପକ୍ଷରେ ଧାନ ସଂଗ୍ରହ ସବସିଡି ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ସବସିଡି ମିଳିବାରେ ବିଳମ୍ବ ଯୋଗୁଁ ଚାଷୀମାନେ ହଇରାଣ ହେଉଥିବା ସେ କହିଛନ୍ତି । ରେଳ ଭିତ୍ତିଭୂମି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି ଓ ୫୦% ଅର୍ଥ ଦେଉଛି । ଏହା ସତ୍ତ୍ୱେ ବି କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି କରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିବା ବେଳେ ଝାଡଖଣ୍ଡ ମୁଖ୍ୟମନ୍ତୀ ହେମନ୍ତ ସୋରେନ କୌଣସି କାରଣରୁ ଯୋଗଦେଉ ନଥିବାରୁ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଯୋଗଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ସଦସ୍ୟ ରାଜ୍ୟମାନଙ୍କ ମଧ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ମନୋମାଳିନ୍ୟ ପରିଷଦରେ ଆଲୋଚନା ଦ୍ୱାରା ସମାଧାନ କରାଯିବା ସହ ଆଞ୍ଚଳିକ ପରିଷଦ ଅନେକ ବିଷୟ ବସ୍ତୁ ଯଥା: ସୀମା ସମ୍ପର୍କିତ ବିବାଦ, ନିରାପତ୍ତା, ସଡକ ପରିବହନ, ଶିଳ୍ପ, ଜଳ ଓ ଶକ୍ତି ଭଳି ସମ୍ପର୍କିତ ବିଭିନ୍ନ ଭିତିଭୂମି, ଜଙ୍ଗଲ ଓ ପରିବେଶ, ଗୃହ, ଶିକ୍ଷା, ଖାଦ୍ୟ ନିରାପତ୍ତା, ପର୍ୟ୍ୟଟନ ଓ ପରିବହନ ଭଳି ବିଷୟଗୁଡିକ ମଧ୍ୟ ଆଲୋଚନା ପରିସରଭୁକ୍ତ ହୋଇଥାଏ।