କଂଗ୍ରେସ-ଆପ୍ ମେଂଟ ହେବନି

କଂଗ୍ରେସ-ଆପ୍ ମେଂଟ ହେବନି

କଂଗ୍ରେସ-ଆପ୍ ମେଂଟ ହେବନି
ନୂଆଦିଲ୍ଲୀ:ଶେଷ ମୁହୂର୍ତରେ ବି ଦିଲ୍ଲୀ ପାଇଁ କଂଗ୍ରେସ ଓ ଆମ୍ ଆଦମି ପାର୍ଟି(ଆପ୍) ମେଂଟ ନେଇ ସହମତି ହୋଇ ପାରିଲା ନାହିଁ । ତେଣୁ ଦୁଇ ଦଳ ପୃଥକ ଭାବେ ଲଢିବେ । ତେବେ ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯିବା କ୍ଷଣି ଦୁଇ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଆପ୍ ନେତା ଗୋପାଳ ରାୟ କହିଛନ୍ତି, ଆମେ ୩୩ ଆସନରେ କଂଗ୍ରେସ ସହ ମେଂଟ କରିବାକୁ ଚାହୁଁଥିଲୁ । ଦିଲ୍ଳୀ ବାଦ୍ ଆମେ ପଞ୍ଜାବ ଓ ହରିୟାନାରେ ମଧ୍ୟ ମେଂଟ ଚାହୁଁଥିଲୁ । କିନ୍ତୁ କଂଗ୍ରେସ ରାଜି ହୋଇ ନଥିଲା । ତା ଛଡା ଆମେ ଦିଲ୍ଲୀରେ ଏକାକୀ ବିଜେପିକୁ ହରାଇବାକୁ କ୍ଷମତା ରଖିଛୁ । ତେଣୁ କେବଳ ଦିଲ୍ଲୀରେ କଂଗ୍ରେସ ସହ ମେଂଟ କରି କିଛି ଲାଭ ନାହିଁ । ଆପ୍ ନେତା ସଂଜୟ ସିଂହ କହିଛନ୍ତି, ହରିୟାନାରେ ଆମେ କଂଗ୍ରେସକୁ ବରିଷ୍ଠ ଦଳ ଭାବେ ସହଯୋଗୀ କରିବାକୁ ଚାହୁଁଥିଲୁ । ଫଳରେ କଂଗ୍ରେସକୁ ଅଧିକ ଆସନ ମିଳିଥାନ୍ତା । କିନ୍ତୁ ଏବେ ଆଉ ସମୟ ନାହିଁ । ଉଲ୍ଲେଖଯୋଗ୍ୟ, ହରିଆନାରେ ଜନନାୟକ ଜନତା ପାର୍ଟି ସହ ଆପ୍ ମେଂଟ ଘୋଷଣା କରିଛି । ଏଠାରେ ୧୦ ଆସନରୁ ଆପ୍ ୩ଟି ଆସନରେ ଲଢିବ । ଅନ୍ୟ ପକ୍ଷରେ କଂଗ୍ରେସ ନେତା ପି.ସି ଚାକୋ କହିଛନ୍ତି, ଶେଷ ମୁହୂର୍ତ ପର୍ଯ୍ୟନ୍ତ ଆପ୍ ସହ ମେଂଟ କରିବାକୁ ପ୍ରସ୍ତୁତ ଥିଲୁ । ସେମାନେଙ୍କୁ ୪ଟି ଆସନ ଦେଇ ଆମେ ୩ ଟିରେ ଲଢିବାକୁ ଚାହୁଁଥିଲୁ । କିନ୍ତୁ ସହମତି ହୋଇ ପାରିଲା ନାହିଁ । ତେଣୁ ଆମେ ସମସ୍ତେ ୭ଟି ଆସନରେ ଏକାକୀ ଲଢିବୁ । ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ୭ ଲୋକସଭା ଆସନ ପାଇଁ ମେଂଟ କରିବା ଲାଗି ଆପ୍ ଓ କଂଗ୍ରେସ ଦୀର୍ଘଦିନ ହେଲା ଆଲୋଚନା କରି ଆସୁଛନ୍ତି । ଏଥିପାଇଁ ଅନେକ ବିବାଦ ବି ସୃଷ୍ଟି ହୋଇଛି । କିନ୍ତୁ ସମସ୍ତ ଆଲୋଚନା ବିଫଳ ହୋଇଛି । ତେବେ ସମ୍ଭବତଃ ଶନିବାର ଉଭୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ଆଶା କରାଯାଉଛି ।