କଟକଣା ପରେ ସଂକଟରେ କଂଗ୍ରେସ ବାପ-ପୁଅ ରାଜନୀତି

କଟକଣା ପରେ ସଂକଟରେ କଂଗ୍ରେସ ବାପ-ପୁଅ ରାଜନୀତି

କଟକଣା ପରେ ସଂକଟରେ କଂଗ୍ରେସ ବାପ-ପୁଅ ରାଜନୀତି
ଭଦ୍ରକ:ବାପ ହେଉ କି ପୁଅ ଗୋଟିଏ ପରିବାରୁ କେବଳ ଜଣଙ୍କୁ ମିଳିବ ଦଳୀୟ ଟିକେଟ୍ । ନିର୍ବାଚନ ଟିକେଟ ଘୋଷଣା ପୂର୍ବରୁ କଂଗ୍ରେସ ଦଳର ଏହି କଟକଣା ଏବେ ଦଳର ପୁରୁଖା ନେତାଙ୍କୁ ବେଶ ଅଡୁଆରେ ପକାଇ ଦେଇଛି । ପ୍ରକୃତପକ୍ଷେ ଦଳର ଏହି କଟକଣା କାର୍ଯ୍ୟକାରୀ ହେଲେ ବାପୁ-ପୁଅଙ୍କ ମଧ୍ୟରୁ ଯାହାକୁ ହେଲେ ଜଣଙ୍କୁ ଅନ୍ୟଜଣଙ୍କ ପାଇଁ ରାଜନୈତିକ ବଳିଦାନ ଦେବାକୁ ପଡିବ । ଏଥିପାଇଁ ହୁଏତ ଜଣଙ୍କୁ ସକ୍ରୀୟ ରାଜନୀତିରୁ ସ୍ୱେଚ୍ଛାକୃତ ଅଥବା ବାଧ୍ୟତାମୂଳକ ଅବସର ଗ୍ରହଣ କରିବାକୁ ପଡିବ । ଯାହାକୁ ନେଇ ଏବେ ଭଦ୍ରକ ଜିଲା କଂଗ୍ରେସ ରାଜନୀତି ବେଶ୍ ସରଗରମ୍ ହୋଇଉଠିଛି । ଭଦ୍ରକ ଜିଲା କଂଗ୍ରେସ ରାଜନୀତିରେ ଏବେ ବରିଷ୍ଠ ନେତା ଅନନ୍ତ ସେଠୀ ଏବଂ ତାଙ୍କ ପୁଅ କୁମାର ଚିରଞ୍ଜିବୀଙ୍କୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା । କାରଣ ଆଗାମୀ ନିର୍ବାଚନରେ ଉଭୟ ନେତା ନିର୍ବାଚନ ଲଢିବା ଏକପ୍ରକାର ଚୂଡାନ୍ତ ମନେ କରାଯାଉଥିଲା । ଅନନ୍ତ ଭଦ୍ରକ ଲୋକସଭା ଏବଂ ତାଙ୍କ ପୁଅ ଚିରଞ୍ଜିବୀ ଧାମନଗର ସଂରକ୍ଷିତ ବିଧାନସଭା ଆସନରେ ନିର୍ବାଚନ ଲଢିବା ପାଇଁ ଦରଖାସ୍ତ ମଧ୍ୟ ଗୃହୀତ ହୋଇସାରିଛି । ସବୁଠାରୁ ବଡକଥା ହେଲା ଏହି ଦୁଇ ଆସନ ପାଇଁ ଉଭୟଙ୍କ ପ୍ରାଥିୀତ୍ୱ ମଧ୍ୟ ଯଥାର୍ଥ ସାବ୍ୟସ୍ତ ହୋଇଛି । କାରଣ ଚଳିତ ନିର୍ବାଚନରେ ଭଦ୍ରକ ସଂରକ୍ଷିତ ଲୋକସଭା ଆସନରେ ନିର୍ବାଚନ ଲଢିବାକୁ ଅନନ୍ତଙ୍କ ଭିନ୍ନ ଦଳ ପାଖରେ ସେହି ଧରଣର ବିକଳ୍ପ ନାହାଁନ୍ତି, ତାହା ଯେ କେହି ସ୍ୱୀକାର କରିବେ । ଗତ ନିର୍ବାଚନରେ ମଧ୍ୟ ଅନନ୍ତ ଏହି ଆସନ ପାଇଁ ମୁଖ୍ୟ ଦାବୀଦାର ଥିଲେ ମଧ୍ୟ ଶେଷମୁହୁର୍ତରେ ତାଙ୍କୁ ହଟାଇ ତାଙ୍କ ଜାଗାରେ ରାଜନୀତିରେ ସଂପୂର୍ଣ୍ଣ ନବାଗତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା । ତେବେ ଚଳିତ ନିର୍ବାଚନରେ ଦଳୀୟ ସ୍ଥିତି ବଦଳିଥିବା ହେତୁ ଅନନ୍ତଙ୍କ ପ୍ରାର୍ଥିୀତ୍ୱ ଚୂଡାନ୍ତ ମନେ କରାଯାଉଥିଲା । ସେହିଭଳି ଭଣ୍ଡାରିପୋଖରୀ ବିଧାୟକରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଅନନ୍ତଙ୍କ ପୁଅ କୁମାର ଚିରଞ୍ଜିବୀ ଦୀର୍ଘଦିନ ଧରି ସକ୍ରୀୟ ରାଜନୀତିରୁ ଦୂରେଇ ରହିବା ପରେ ଏଥର ଧାମନଗର ସଂରକ୍ଷିତ ଆସନରେ ନିର୍ବାଚନ ଲଢିବାର ସୁଯୋଗ ସୃଷ୍ଟି ହୋଇଥିଲା । କାରଣ ଏହି ଆସନ ସଂରକ୍ଷିତ ହେବା ପରେ ଦଳ ପ୍ରତିଦ୍ୱନ୍ଦିତା ଦୌଡର ବହୁ ପଛରେ ପଡିଯାଇଛି । ଗତ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ କରାଯାଇଥିବା ନେତାଙ୍କୁ ଅତ୍ୟନ୍ତ ନୈରାଶ୍ୟଜନକ ଭୋଟ ମିଳିବା ଘଟଣା ପରେ ଚଳିତ ନିର୍ବାଚନରେ ଦଳ ଏହି ଆସନରେ ପ୍ରାର୍ଥିୀ ପରିବର୍ତନ ଏକ ପ୍ରକାର ନିଶ୍ଚିତ ମନେ କରାଯାଉଥିଲା । ଏଥିପାଇଁ ଦଳ ଅନନ୍ତଙ୍କ ପୁଅ ତଥା ପୂର୍ବତନ ବିଧାୟକ କୁମାର ଚିରଞ୍ଜିବୀଙ୍କୁ ନିର୍ବାଚନ ଲଢାଇବାର ପରିକଳ୍ପନା ରଖିଥିବାବେଳେ ପ୍ରସଙ୍ଗ ଏକ ପ୍ରକାର ଚୂଡ଼ାନ୍ତ ମନେ କରାଯାଉଥିଲା । ଏଥିପାଇଁ ଚିରଞ୍ଜିବୀଙ୍କ ଦରଖାସ୍ତ ମଧ୍ୟ ଗୃହୀତ ହୋଇସାରିଛି । ଏପରିସ୍ଥିତିରେ ନିର୍ବାଚନ ଲଢିବା କ୍ଷେତ୍ରରେ ଦଳର ବାପ-ପୁଅ କଟକଣା ଜିଲା କଂଗ୍ରେସ ରାଜନୀତି ଅଙ୍କକଷାକୁ ଭୁଲ୍ ପ୍ରମାଣିତ କରିବାକୁ ଯାଉଛି । ଦଳୀୟ ଟିକେଟ୍ ପ୍ରଦାନ କ୍ଷେତ୍ରରେ ଏହି କଟକଣା କାଏମ୍ ରହିଲେ ଦେଖିବାକୁ ପଡିବ କାହାପାଇଁ କିଏ ବଳି ପଡୁଛନ୍ତି । ତେବେ ଦଳୀୟ କଟକଣାର ପରିଣତି ଯାହା ହେଉନା କାହିଁକି, ଦଳର ଏହି ପରିବର୍ତିତ ନିଷ୍ପତି ଏବେ ଜିଲାରେ ଅନନ୍ତଙ୍କ ବିରୋଧୀଙ୍କୁ ଉତ୍ସାହିତ କରିଥିବାବେଳେ ସମର୍ଥକ ମାନଙ୍କୁ ହତୋତ୍ସାହିତ କରିଛି ।