କ୍ୟାପଟେନ ଗଢ଼ିବେ ନୂଆ ଦଳ
କ୍ୟାପଟେନ ଗଢ଼ିବେ ନୂଆ ଦଳ
ଚଣ୍ଡୀଗଡି: ହାଇକମାଣ୍ଡଙ୍କୁ ଇସ୍ତଫା ପତ୍ର ନ ଦେଲେ ବି କଂଗ୍ରେସକୁ ବାଏ ବାଏ କରିସାରିଲେଣି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସେ ନିଜେ ହିଁ ଘୋଷଣା କରିସାରିଲେଣି, ସେ ଆଉ କଂଗ୍ରେସରେ ନାହାନ୍ତି । ଏହାସହ ଅମରିନ୍ଦର କହିଛନ୍ତି, ଯଦିଓ ସେ କଂଗ୍ରେସ ଛାଡ଼ିଛନ୍ତ. ସେ ବିଜେପିକୁ ମଧ୍ୟ ଯିବେନି । ହେଲେ ଖୁବଶୀଘ୍ର କିଛି ନିଷ୍ପତ୍ତି ନେବେ । ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି, କ୍ୟାପଟେନ ଏକ ବଡ଼ ଯୋଜନାରେ ଅଛନ୍ତି । ତାଙ୍କ ସମର୍ଥକଙ୍କୁ ଏକାଠି କରିବାରେ ଲାଗିଛନ୍ତି । ଖୁବଶୀଘ୍ର ସେ ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିବେ । ଏଥିରେ କଂଗ୍ରେସର କେତେକ ବିଧାୟକ ବି ରହିବେ । ଅର୍ଥାତ ପଞ୍ଜାବ କଂଗ୍ରେସକୁ ଭାଙ୍ଗିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି । ଏ ନେଇ ସେ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମିଶି ଦୀର୍ଘ ଆଲୋଚନା କରିଥିବା କୁହାଯାଉଛି ।
ସିଧାସଳଖ ବିଜେପି ସହ ସମ୍ପର୍କ ଯୋଡ଼ିଲେ କାଳେ ତାଙ୍କ ଭୋଟ ହାର ମାଡ଼ ଖାଇବ, ସେଥିପାଇଁ ସେ ବିଜେପି ସହ ଭିତିରି ସମ୍ପର୍କ ରଖିବେ । ଅର୍ଥାତ୍ ବିଜେପିର ସହଯୋଗୀ ଦଳ ହୋଇପାରନ୍ତି । ବିଜେପି ପଞ୍ଜାବରେ ଦୁର୍ବଳ ଥିବାବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସକୁ ଚେକ୍ ଦେବା ପାଇଁ ବିଜେପି କ୍ୟାପଟେନଙ୍କୁ ମିସାଇଲ୍ ଭାବେ ବ୍ୟବହାର କରିବାକୁ ଚାହୁଁଛି । କ୍ୟାପଟେନଙ୍କ ମାଧ୍ୟମରେ କଂଗ୍ରେସରୁ ବହୁ ବିଧାୟକଙ୍କୁ ବାହାର କରି କଂଗ୍ରେସକୁ ଝଟକା ଦେବା ଯୋଜନାରେ ଅଛନ୍ତି ଅମିତ ଶାହ । ଏହାର ଗନ୍ଧ ବାରି କଂଗ୍ରେସ ଏବେ ନିଜ ଘର ସଜାଡ଼ିବାରେ ଲାଗିଛି । ଏ ନେଇ ଗତକାଲି ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ୩ ଘଣ୍ଟା ଧରି ଆଲୋଚନା ହେଲା । ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେଠାରେ ସେ ହାଇକମାଣ୍ଡଙ୍କ ସହ ଆଲୋଚନା କରି ପରବର୍ତ୍ତୀ ରଣନୀତି ସ୍ଥିର କରିବେ ।




admin 