ଖୋଲି ପାରିଲେନି ତେଲ ଟାଙ୍କି, ବାଟରେ ଛାଡ଼ିଲେ ଚୋରି ବସ ଓ କାର

ଖୋଲି ପାରିଲେନି ତେଲ ଟାଙ୍କି, ବାଟରେ ଛାଡ଼ିଲେ ଚୋରି ବସ ଓ କାର

ଖୋଲି ପାରିଲେନି ତେଲ ଟାଙ୍କି, ବାଟରେ ଛାଡ଼ିଲେ ଚୋରି ବସ ଓ କାର
ଚନ୍ଦ୍ରଶେଖରପୁର : ସୁନ୍ଦର କୌଶଳ କରି ତିନି ତିନି ଗାଡ଼ି ଚୋରି କରିବାରେ ସକ୍ଷମ ହୋଇଥିଲେ । ମାତ୍ର ଅଳ୍ପ ଦୂର ପରେ ଇନ୍ଧନ ସରିଯିବା ଯୋଗୁଁ ସବୁ ଫସର ଫାଟିଲା । ତେଲ ଟାଙ୍କି ଖୋଲି ନପାରି ଚୋରମାନେ ବାଧ୍ୟ ହୋଇ ରାସ୍ତାରେ ଗାଡ଼ି ଛାଡ଼ି ପଳାଇଲେ । ଇନଫୋସିଟି ଥାନା ପୁଲିସ ଏମିତି ଚୋରି ହୋଇଥିବା ଗୋଟିଏ ସ୍କୁଲ ବସ ଓ ଦୁଇଟି କାର ଉଦ୍ଧାର କରିଛି । ପ୍ରଶାନ୍ତିବିହାର ଅଞ୍ଚଳରୁ ଚୋରି ହୋଇଥିବା ଏହି ୩ ଗାଡ଼ି ରାସ୍ତାରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂଚନା ଅନୁସାରେ ଏକ ଘରୋଇ ସ୍କୁଲ ବସ ଓ ଦୁଇଟି କାର ଚୋରି ହୋଇଥିଲା । ଏନେଇ ଅଭିଯୋଗ ମିଳିବା ପରେ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରି ଛାନଭିନ କରିଥିଲା । ମାତ୍ର ଦୁର୍ବୃତ୍ତମାନଙ୍କ ବାବଦରେ କୌଣସି ସୁରାକ ମିଳିନଥିଲା । ତେବେ ଗୋଟିଏ ବସ ବାରଙ୍ଗ ପିତାପଲ୍ଲୀ ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ରଖାଯାଇଥିବା ଦେଖି ସନେ୍ଦହରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଉକ୍ତ ବସକୁ ଉଦ୍ଧାର କରିଥିଲା । ଗାଡ଼ି ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଚୋରମାନେ ସର୍କିଟ ତାର କାଟି ବସକୁ ଷ୍ଟାଟ କରି ନେଇ ପଳାଇଥିଲେ । କିନ୍ତୁ ତେଲ ଟାଙ୍କି ଖୋଲି ପାରିନଥିଲେ । ଫଳରେ କମ ତେଲ ଥିବା ଟାଙ୍କିରୁ ଦୂର ରାସ୍ତା ପରେ ଡିଜେଲ ସରିଯାଇଥିଲା । ସ୍କୁଲ ବନ୍ଦ ଥିବାରୁ ବସ ଚଳାଚଳ ହେଉନାହିଁ । ତେଣୁ ଟାଙ୍କିରେ କମ ଡିଜେଲ ଥିଲା । ଡିଜେଲ ସରିଯିବା ପରେ ବାଧ୍ୟ ହୋଇ ଦୁର୍ବୃତ୍ତମାନେ ରାସ୍ତାକଡ଼ରେ ଛାଡ଼ି ପଳାଇଥିଲେ । ଅନୁରୂପ ଭାବେ ୨ଟି କାର କ୍ଷେତ୍ରରେ ମଧ୍ୟ ଘଟିଥିଲା । ଘରୋଇ କମ୍ପାନି କାମରେ ନିୟୋଜିତ ଏହି ଦୁଇ କାର କିଛି ମାସ ହେଲା କମ୍ପାନୀ ସମ୍ମୁଖରେ ରାସ୍ତା ଉପରେ ରଖାଯାଇଥିଲା ।