ଗଞ୍ଜାମରେ ୩ ଦିନ କଟକଣା କୋହଳ

ଗଞ୍ଜାମରେ ୩ ଦିନ କଟକଣା କୋହଳ

ଗଞ୍ଜାମରେ ୩ ଦିନ କଟକଣା କୋହଳ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ସଟଡାଉନ କଟକଣାକୁ ଆସନ୍ତା ୩ ଦିନ ପାଇଁ କୋହଳ କରାଯାଇଛି । ଜିଲ୍ଲାର ସମସ୍ତ ସହରାଞ୍ଚଳରେ ୩ ଦିନ ପାଇଁ କଟକଣା କୋହଳ କରାଯାଇଛି । ଜିଲ୍ଲାପାଳ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ କଟକଣାକୁ କୋହଳ କରିଛନ୍ତି । ଲୋକମାନେ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଏହି କୋହଳ କରାଯାଇଛି । ସକାଳ ୬ରୁ ଅପରାହ୍ନ ୪ଟା ଯାଏ ଲୋକମାନେ କିଣାକିଣି କରିପାରିବେ । ତେବେ ଜିଲ୍ଲାପାଳ କଟକଣା କୋହଳ କରିବା ସହ ଲୋକମାନଙ୍କୁ ସତର୍କ ମଧ୍ୟ କରାଇଛନ୍ତି । କୋହଳର ୩ ଦିନ ମଧ୍ୟରେ ଆପଣମାନଙ୍କୁ ଆମେ ନିରୀକ୍ଷଣ କରିବୁ । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ସମ୍ପର୍କରେ ନିରୀକ୍ଷଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଦି ଖିଲାପ ନଜରକୁ ଆସେ, ତେବେ ସଟଡାଉନକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି । ବିଶେଷ କରି ଗଞ୍ଜାମ ଜିଲ୍ଲା ଓଡ଼ିଶାକୁ ବଦନାମ କରିବା ଭଳି ସ୍ଥିତିରେ ପହଞ୍ଚାଇଲାଣି । ସରକାର ସବୁ କଳ ବଳ ଲଗାଇଥିଲେ ବି ଗଞ୍ଜାମର ସଂକ୍ରମଣ ଓ ମୃତୁ୍ୟହାର ପାଇଁ ସମସ୍ତେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।