ଘରୁ ବାହାରିଲେ ହଜାରେ ଟଙ୍କା ଜରିମାନା
ଘରୁ ବାହାରିଲେ ହଜାରେ ଟଙ୍କା ଜରିମାନା
admin
Apr 11, 2020 - 11:47
Updated: Apr 11, 2020 - 11:47
ନୂଆପଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁରେ ଲୋକେ ଏକ ନିଆରା କଟକଣା ଜାରି କରିଛନ୍ତି । ଗାଁରେ କୌଣସି ବ୍ୟକ୍ତି ଆବଶ୍ୟକ ସ୍ଥଳେ ଘରୁ ବାହାରକୁ ଗଲେ ୧ ହଜାର ଟଙ୍କାର ଜରିମାନା ଗଣିବେ ବୋଲି ଗାଁରେ ସମୂହ ନିଷ୍ପତ୍ତି ହୋଇଛି ।
କୋମନା ବ୍ଲକ ନୂଆଗାଁର ଲୋକମାନେ ସରକାରଙ୍କ ଲକଡାଉନ ନିଷ୍ପତ୍ତିକୁ ଅବମାନନା କରୁଥିଲେ । ଗ୍ରାମବାସୀ ନିୟମ ଉଲ୍ଲଂଘନ କରି ଖୋଲାଖୋଲି ବୁଲାବୁଲି କରୁଥିଲେ । ଖବର ପାଇ କୋମନା ପୁଲିସ ଗାଁକୁ ବାରମ୍ବାର ଆସୁଥିଲା । ଗାଁ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଉଥିଲା । ଏଣୁ ଏ ନେଇ ଗାଁର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଲକଡାଉନ ନିୟମ ପାଳନ କରିବାକୁ ଅଣ୍ଟା ଭିଡିଥିଲେ । ଗତ ୭ ତାରିଖରେ ଗାଁରେ ଏକ ବୈଠକ ବସିଥିଲା । ଗାଁକୁ ବାରମ୍ବାର ପୁଲିସ ଆସୁଥିବା ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । ସରକାରଙ୍କ ଲକଡାଉନକୁ ପାଳନ କରିବା ସହ ଗାଁର କୌଣସି ବ୍ୟକ୍ତି ଅନାବଶ୍ୟକ ସ୍ଥଳେ ଘରୁ ବାହାରକୁ ଯାଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଥିଲେ । ଏହାକୁ କେହି ଅବମାନନା କଲେ, ଉକ୍ତ ବ୍ୟକ୍ତ ଗାଁ କୋର୍ଟରେ ୧ ହଜାର ଟଙ୍କାର ଜରିମାନା ଦେବେ ବୋଲି ସାମୂହିକ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଗାଁରେ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରତିଦିନ ଗାଁର ଦୁଇ ଜଣ ଯୁବକ ପାଳି କରି ୨୪ ଘଣ୍ଟିଆ ପ୍ରହରା ଦେବାକୁ ସ୍ଥିର ହୋଇଛି । ଏଥିରେ ଯେଉଁ ଜରିମାନା ଅର୍ଥ ଆଦାୟ ହେବ ତାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏବେ ଜରିମାନା ଭୟରେ ଗାଁରେ କେହି ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏହି ନିଷ୍ପତ୍ତି ନେବାରେ ୩ ଦିନ ବିତିଯାଇଥିଲେ ବି କାହାରି ଠାରୁ ଜରିମାନା ଆଦାୟ ହୋଇନାହିଁ । ଯେଉଁଠି ସରକାର, ପୁଲିସ ପ୍ରଶାସନ ଲୋକଙ୍କୁ ଘର ଭିତରେ ରଖି ପାରୁନଥିଲେ ତାହା ଗାଁ କୋର୍ଟରେ ନିର୍ଦ୍ଦେଶକ୍ରମେ ସରକାରଙ୍କ ଲକଡାଉନ ନିର୍ଦ୍ଦେଶକୁ ମାନିବା ମାଧ୍ୟ କରିଛି । ଏବେ ନୂଆଗାଁବାସୀଙ୍କ ପଦକ୍ଷେପ ଅନ୍ୟ ପାଇଁ ଉଦାହରଣ ସାଜିଛି ।