କେମିତି ରହିବେ ସତର୍କ ରାଜ୍ୟବାସୀ

କେମିତି ରହିବେ ସତର୍କ ରାଜ୍ୟବାସୀ

କରୋନା ଭାଇରସ ସମ୍ପର୍କିତ ଠିକ ତଥ୍ୟ ପାଇଁ କେବଳ ସରକାରୀ ୱେବସାଇଟର ସାହାଯ୍ୟ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । କୌଣସି ବ୍ୟକ୍ତି ଫୋନ ମାଧ୍ୟମରେ ବ୍ୟକ୍ତିଗତ କିମ୍ବା ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ମାଗିଲେ, ଏଗୁଡ଼ିକ ସେୟାର ନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି । କେବଳ ବିଶ୍ୱସନୀୟ ଆପ୍ଲିକେସନଗୁଡ଼ିକ ମୋବାଇଲରେ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସନ୍ଦେହ ଜନକ କାରବାର ୱେବସାଇଟ କିମ୍ବା ଆପ୍ଲିକେସନରେ ନଜରକୁ ଆସିଲେ ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ । କୋଭିଡ-୧୯ ପାଇଁ କୌଣସି ଆର୍ଥିକ ସାହାଯ୍ୟ କରୁଥିଲେ ସମ୍ପୃକ୍ତ ଅନୁଷ୍ଠାନ ସମ୍ପର୍କରେ ଭଲ ଭାବେ ଅନୁଧ୍ୟାନ କରିବାକୁ କୁହାଯାଇଛି । ସାଇବର ଅପରାଧୀ କରୋନା ରୋଗୀଙ୍କ ସାହାଯ୍ୟ ନାଁରେ ଲୁଟ ଆରମ୍ଭ କରି ଦେଇଛନ୍ତି । କରୋନା ଭାଇରସ ସମ୍ପର୍କିତ କୌଣସି ସ୍ୱାସ୍ଥ୍ୟଗତ ପରାମର୍ଶବଳୀ ମେଲ କିମ୍ବା ଲିଙ୍କ ମାଧ୍ୟମରେ ଆସିଥିଲେ ଏଗୁଡ଼ିକ ଖୋଲିବା ପୂର୍ବରୁ ସତର୍କ ରୁହନ୍ତୁ । ସାଇବର ଅପରାଧୀମାନେ ଲିଙ୍କ ମାଧ୍ୟମରେ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ସମସ୍ତ ତଥ୍ୟ ଚୋରାଇ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଗୁଡ଼ିକୁ ଫିସିଂ ଆଟାକ କୁହାଯାଏ । ଏବେ ବିଭିନ୍ନ ଅଫିସ କର୍ମଚାରୀ ଘର କମ୍ପ୍ୟୁଟର ମାଧ୍ୟମରେ ଅଫିସ କମ୍ପ୍ୟୁଟରକୁ ଆକ୍ସେସ କରି କାମ କରୁଛନ୍ତି । ନିଜ ବ୍ୟକ୍ତିଗତ କମ୍ପ୍ୟୁଟର ମାଧ୍ୟମରେ ଅଫିସ କମ୍ପ୍ୟୁଟରରୁ କାମ କରୁଥିବାରୁ ଥାର୍ଡ ପାର୍ଟି ଯେଭଳି ବ୍ୟକ୍ତିଗତ ତଥ୍ୟ ଚୋରି ନ କରନ୍ତି ସେଥିପ୍ରତି ମଧ୍ୟ ନଜର ରଖିବାକୁ କୁହାଯାଇଛି । ଏଥିପାଇଁ କମ୍ପ୍ୟୁଟରରେ ଅପଡେଟେଡ୍ ଆଣ୍ଟି ଭାଇରସ ଅପଲୋଡ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । କରୋନା ଭାଇରସ ନାଁରେ ଯଦି କୌଣସି ପ୍ରକାର ଅଫର ଅନଲାଇନରେ ଦିଆଯାଉଛି, ଏଥିରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଅଫର ସମ୍ପର୍କିତ ମେଲ ଓ ମ୍ୟାସେଜ ଏବେ ମୋବାଇଲରେ ଘୁରି ବୁଲୁଥିବା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି ।