ଚନ୍ଦ୍ରବାବୁ ଗୃହବନ୍ଦୀ

ଚନ୍ଦ୍ରବାବୁ ଗୃହବନ୍ଦୀ

ଚନ୍ଦ୍ରବାବୁ ଗୃହବନ୍ଦୀ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ଗୃହବନ୍ଦୀ କରାଯାଇଛି। ତାଙ୍କ ପୁଅ ନର ଲୋକେଶ ଏବଂ ଅନ୍ୟ କେତେକ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି। ରାଜଧାନୀ ବିଜୟଓ୍ଵାଡ଼ା ନିକଟ ଉଣ୍ଡାବାଲ୍ଲିସ୍ଥିତ ତାଙ୍କ ଘରେ ପୁଲିସ ତାଙ୍କୁ ଅଟକ ରଖିଥିବା କଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ପରେ ଆନ୍ଧ୍ରପ୍ରଦେଶରେ ଉତ୍ତେଜନ ଦେଖାଦେଇଛି। ଅଟକ ବିରୋଧରେ ପ୍ରତିବାଦପୂର୍ବକ ଅଜି ସକାଳ ୮ଟାରୁ ସନ୍ଧ୍ୟା ୮ଟା ଯାଏଁ ନାଇଡୁ ଅନଶନ ଆରମ୍ଭ କରିଛନ୍ତି। ନାଇଡୁଙ୍କ ଘର ବାହାରେ ଜମା ହୋଇଥିବା ଟିଡିପିର କେତେକ ସଦସ୍ୟ ଏହି ଅଟକ ବିରୋଧରେ ପ୍ରତିବାଦ କରି ପୁଲିସ ସହ ସଂଘର୍ଷ କରିଛନ୍ତି। ଶାସକ ‘ଓ୍ଵାଇଏସ୍‌ଆର୍‌ସିପି’ ସ୍ୱେଚ୍ଛାଚାର ବିରୋଧରେ ଟିଡିପି ‘ଚଲୋ ଆତ୍ମାକୁର’ ପ୍ରତିବାଦ ଆୟୋଜନ କରିଛି। ଦଳ ଦାବି କରିଛି ଯେ ଗତ ତିନି ମାସ ହେବ ‘ଓ୍ଵାଇଏସ୍‌ଆର୍‌ସିପି’ ସମର୍ଥକମାନେ ତାଙ୍କର ବହୁ କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି। ସମଗ୍ର ରାଜ୍ୟରେ ପୁଲିସ ନିଷେଧାଦେଶ ଲାଗୁ କରିଛି।