ଚିକିତ୍ସା ଅବହେଳାରୁ ଚାଲିଗଲା ଜୀବନ
ଚିକିତ୍ସା ଅବହେଳାରୁ ଚାଲିଗଲା ଜୀବନ
ଗଜପତି: ଚିକିତ୍ସା ଅବହେଳାରୁ ଚାଲିଗଲା ୫ବର୍ଷ ଶିଶୁର ଜୀବନ । ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଗତକାଲି ବିଳମ୍ବିତ ରାତ୍ରରୁ ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଚିକିତ୍ସା ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଅଭିଯୋଗ କରି ଗୁରାଣ୍ଡି ଗ୍ରାମବାସୀ ଓ ପରିବାରବର୍ଗ ଉତ୍ତେଜିତ ହୋଇଛନ୍ତି ।
ଗତକାଲି ଗୁରାଣ୍ଡି ଗ୍ରାମର ହରିଜନ ସାହି ନିବାସୀ ଅନିଲ ବିଷୋୟୀଙ୍କ ୫ବର୍ଷର ପୁତ୍ର ଆୟୁଷ ବିଷୋୟୀକୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ଭର୍ତ୍ତି କରାଯାଇଥିଲା । ତେବେ ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ହ୍ୱାଟ୍ସ ଆପରେ ଔଷଧ ଦେଇଥିଲେ । ଆୟୁଷକୁ ଦେଖିବାକୁ ଆସିନଥିଲେ । ପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ କୌଣସି ଡାକ୍ତର ଚିକିତ୍ସା ପାଇଁ ଆସିନଥିଲେ । ସେଠାରେ ଥିବା ନର୍ସ ଚିକିତ୍ସା କରିଥିଲେ । ବିନା ଡାକ୍ତରରେ ସେ ସାଲାଇନ ଓ ଇଂଜେକସନ ଦେଲେ ।
ଯାହାଫଳରେ ଆୟୁଷର ମୃତ୍ୟୁ ଘଟିଥିବା ପରିବାର ବର୍ଗ ଅଭିଯୋଗ କରି ମୃତଦେହ ଧରି ଧାରଣା ଦେବା ସହ ଉତ୍ତେଜିତ ହୋଇଛନ୍ତି । ସେପଟେ ପୋଲିସ, ସିଡିଏମଓ, ଜିଲ୍ଲା ମେଡିକାଲ ଅଧିକାରୀ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି ।