ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼, କାହିଁକି ଜାଣନ୍ତୁ
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ଼, କାହିଁକି ଜାଣନ୍ତୁ
admin
Oct 29, 2019 - 07:28
Updated: Oct 29, 2019 - 07:28
ମାଲକାନଗିରି : ପାପ କରିଥିଲେ ଖାଇବାକୁ ପଡ଼ିବ ଚାବୁକ ପାହାର । ପରମ୍ପରା ନାମରେ ଏଭଳି ଅନ୍ଧବିଶ୍ୱାସ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗୌରଗୌରୀ ମନ୍ଦିରରେ ଦୀର୍ଘ ବର୍ଷ ହେଲା ପ୍ରଚଳିତ । ତେବେ ଏଭଳି କଳୁଷିତ ପରମ୍ପରାରେ ନିଜକୁ ସାମିଲ କରି ପ୍ରୋତ୍ସାହିତ କରିଛନ୍ତି ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଦୀପାବଳି ଅବସରରେ ପୂଜକଙ୍କ ଠାରୁ ଖାଇଛନ୍ତି ଚାବୁକ ପାହାର । ଯନ୍ତ୍ରଣାକୁ ସହ୍ୟ କରି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜେ ମୁଖ୍ୟମନ୍ତ୍ରୀ ଏମିତି ପରମ୍ପରାରେ ସାମିଲ ହୋଇ ସମାଜକୁ ଭୁଲ ବାର୍ତ୍ତା ଦେଉଛନ୍ତି ବୋଲି ମଧ୍ୟ ଆଲୋଚନା ଆରମ୍ଭ ହେଲାଣି ।
ଛତିଶଗଡ଼ର ଜଂଜଗିରି ଠାରେ ନିଆରା ପରମ୍ପରା ପ୍ରଚଳିତ । ପ୍ରତିବର୍ଷ ଦୀପାବଳି ସମୟରେ ସ୍ଥାନୀୟ ଲୋକେ ଗୌରଗୌରୀଙ୍କ ପୂଜାକୁ ମହାଆଡ଼ମ୍ବର ସହକାରେ ପାଳନ କରନ୍ତି । ତେବେ ଏହି ପୂଜାରେ ରହିଛି ସ୍ୱତନ୍ତ୍ରତା । ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାପ ଧୋଇବା ପାଇଁ ଏଠାରେ ସୁଯୋଗ ଦିଆଯାଏ । କିନ୍ତୁ ଏଥିପାଇଁ ଯନ୍ତ୍ରଣାକୁ ସହ୍ୟ କରିବାକୁ ହୋଇଥାଏ । ଯେମିତି ମନ୍ଦିର ପୂଜକଙ୍କ ଠାରୁ ଚାବୁକରେ ନିର୍ଘାତ ପାହାର ଖାଇଲେ ସବୁ ପାପ ଧୋଇଯାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକ ନିଜ ପାପ ଧୋଇବା ପାଇଁ ଏହି ମନ୍ଦିରକୁ ଆସନ୍ତି ।
ଏହି ଅଞ୍ଚଳକୁ ଗସ୍ତରେ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମନ୍ଦିରର ଭିନ୍ନ ପରମ୍ପରା ସମ୍ପର୍କରେ ଜାଣିବା ପରେ ପହଞ୍ଚି ଯାଇଥିଲେ । କେହି ଜଣେ ସମର୍ଥକ ପାପ ଧୋଇବାକୁ ହେଲେ ପୂଜକଙ୍କ ଠାରୁ ଚାବୁକରେ ପାହାର ଖାଇବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ଚାବୁକ ମାଡ଼ ଖାଇବାକୁ ଆଗେଇ ଆସିଥିଲେ ନିଜେ ମୁଖ୍ୟମନ୍ତ୍ରୀ । ହାତ ଦେଖାଇ ପୂଜକଙ୍କୁ ଚାବୁକ ଚଳାଇବାକୁ ନିଦେ୍ର୍ଧଶ ଦେଇଥିଲେ । ହଜାର ହଜାର ଲୋକଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ପିଟିବା ପୂଜକଙ୍କ ଚିନ୍ତା ବଢ଼ାଇ ଦେଇଥିଲା । କିଛି ସମୟ ପାଇଁ ବ୍ୟସ୍ତ ବିବତ୍ର ହୋଇଯାଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ପୁଣି ଥରେ ନିବେଦନ କରିବାରୁ ପୂଜକ ଜଣକ ବାଧ୍ୟ ହୋଇଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ନମସ୍କାର ମୁଦ୍ରାରେ କ୍ଷମା ପ୍ରାର୍ଥନା ମାଗିଥିଲେ । ଏହା ପରେ ୫ ଥର ଚାବୁକରେ ମାଡ଼ ଖାଇ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ପାଟି ଖୋଲି ନଥିଲେ । ନିକଟରେ ରହିଥିବା ତାଂଜ ସହଯୋଗୀମାନେ ଧରିବାକୁ ଚେଷ୍ଟା କରିଥିଲେ । ତେବେ ସେ ସମସ୍ତ ସହାୟତାକୁ ପ୍ରତ୍ୟାଖ୍ୟାନ କରି ହସ ହସ ମୁହଁରେ ନିଶ୍ଚଳ ଠିଆ ହୋଇ ରହିଥିଲେ ।
ଜଣେ ମୁଖ୍ୟମନ୍ତ୍ରୀ ପାପ ଧୋଇବାକୁ ଏଭଳି ଚାବୁକରେ ମାଡ଼ ଖାଇବା ଘଟଣା ଲୋକଙ୍କୁ ଯେତିକି ଚକିତ କରୁଛି ସେତିକି କୌତୁହଳ ବଢ଼ାଇ ଦେଉଛି । କେହି କେହି ଏହାକୁ ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ରୂପେ କିଛି ବଡ଼ ପାପ କରିଛନ୍ତି ବୋଲି ତାଙ୍କୁ ନିନ୍ଦୁକ କହିବା ଆରମ୍ଭ କଲେଣି । ଅନ୍ୟପଟେ ମନ୍ଦିର କର୍ମକର୍ତ୍ତା ଏହି ନିଆରା ପରମ୍ପରାକୁ ଦୀର୍ଘ ଦିନ ହେଲା ବଞ୍ଚାଇ ରଖିବାକୁ ଯଥାସମ୍ଭବ ପ୍ରୟାସ କରାଯାଇଛି । ଆଉ ଏହି ଭିନ୍ନତା ପାଇଁ ହିଁ ପ୍ରତିବର୍ଷ ଗୌରଗୌରୀ ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଚାବୁକରେ ମାଡ଼ ଖାଇବାକୁ ଆସୁଥିବା କହିଛନ୍ତି ।