ଜମି ପାଇଁ ୨ ଜଣଙ୍କୁ ହତ୍ୟା
ଜମି ପାଇଁ ୨ ଜଣଙ୍କୁ ହତ୍ୟା
କୋରାପୁଟ: ଶନିବାର ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜମି ବିବାଦକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ସେହିପରି ୭ ଜଣ ଆହତ ହୋଇଛନ୍ତି ଏବଂ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ହାତୀମୁଣ୍ଡ ଗାଁ ନିକଟସ୍ଥ ଗାଈହାଡ଼ ଜମିକୁ କେନ୍ଦ୍ର କରି ଗୋଟିଏ କୁଟୁମ୍ବରେ ବିବାଦ ଲାଗି ରହିଥିଲା । ଏପରିକି ୬ ମାସ ତଳେ ବିବାଦ ବଢ଼ିବାରୁ କଥା ଦଶମନ୍ତପୁର ଥାନାରେ ପହଞ୍ଚିଥିଲା । ପୁଲିସ ସମସ୍ତଙ୍କୁ ଡକାଇ ଆଲୋଚନା କରିବାରୁ ଆପୋସ ବୁଝାମଣା ହୋଇଥିଲା । କିନ୍ତୁ ଭିତରେ ଭିତରେ ତିକ୍ତତା ଲାଗି ରହିଥିଲା, ଯାହାକି ଗତକାଲି ରାତିରେ ପୁଣି ଉଗ୍ର ରୂପ ନେଇଥିଲା । ପରସ୍ପରକୁ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ଧନପତି ଜାନୀ (୪୩) ଏବଂ ସହଦେବ ଜାନୀ (୪୫)ଙ୍କ ମୃତୁ୍ୟ ହୋଇଯାଇଛି । ସେହିପରି ସେନପାତି ଜାନୀ, ଧନେଶ୍ୱର ଜାନୀ, ରାଜୁ ଜାନୀ, ଦିବା ପରଜା, ଛେଣ୍ଡିଆ ଜାନୀ, ମନୋହର ଜାନୀ, ଅଙ୍ଗରା ଜାନୀ ଏବଂ ଅଞ୍ଜି ଜାନୀ ପ୍ରମୁଖ ଆହତ ହୋଇଥିଲେ ।