ଜରୁରୀ ପରିସ୍ଥିତିକୁ ବଳିଗଲା: ବ୍ରଜ

ଜରୁରୀ ପରିସ୍ଥିତିକୁ ବଳିଗଲା: ବ୍ରଜ

ଜରୁରୀ ପରିସ୍ଥିତିକୁ ବଳିଗଲା: ବ୍ରଜ
ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଜଣେ ପରେ ଜଣେ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ଗତକାଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତି୍ରପାଠୀ ଟାର୍ଗେଟ କରିଛନ୍ତି । ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ନାମରେ ପୁରୀରେ ଉଚ୍ଛେଦକୁ ଶ୍ରୀ ତ୍ରିପାଠୀ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଶାସନିକ ସନ୍ତ୍ରାସବାଦ ଜରୁରୀ ପରିସ୍ଥିତିକୁ ବି ବଳିଗଲା । ବିଶ୍ୱସ୍ତରୀୟ ଐତିହ୍ୟ କରିବା ନାଁରେ ବହୁ ପୁରାତନ କୀର୍ତ୍ତି ନଷ୍ଟ କରାଗଲା । ଫୋନି ପ୍ରଭାବିତ ପୁରୀବାସୀଙ୍କ ଆର୍ଥିକ ମେରୁଦଣ୍ଡରେ ଏହା ଏକ ବଜ୍ର ଆଘାତ । ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବା ପାଇଁ ଏହା ସରକାରଙ୍କ ଏକ ବଡ଼ ଚକ୍ରାନ୍ତ । ରାଜ୍ୟ ସରକାର ସମ୍ବିଧାନ ବିପରୀତ ଓ ଅପରିମାଣଦର୍ଶୀ କାର୍ଯ୍ୟ କରୁଛନ୍ତି ବୋଲି ବ୍ରଜ ତ୍ରିପାଠୀ କହିଛନ୍ତି । ପ୍ରକାଶ ଯେ, ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦଗାର କରି ଶ୍ରୀ ମହାପାତ୍ର ବୁଧବାର କହିଥିଲେ ଯେ, ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ ୍ରପାଲଟିଛି । ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ହେଉଛି ସରକାରଙ୍କ ଏକ ଦିଗହରା ନିଷ୍ପତ୍ତି । ଗତ ୭ ଦିନ ହେଲା ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ହୋଇଗଲାଣି । ଏପରି କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ । ଡ୍ରୋଜର ଲଗାଇ ଓ ବ୍ୟାପକ ଫୋର୍ସ ମୁତୟନ କରି ଶ୍ରୀକ୍ଷେତ୍ରକୁ ରଣକ୍ଷେତ୍ର ଭଳି କରିିଛନ୍ତି । ଯଦି ସରକାର ବିପି ଦାସ କମିଶନଙ୍କ ସୁପାରିଶରେ ଏପରି କରୁଥିବେ ତେବେ ତାହା ବେଆଇନ । କାରଣ ବିପି ଦାସ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ଚୂଡ଼ାନ୍ତ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରିଦେଲେ । କିମଶନଙ୍କ ରିପୋର୍ଟ ମଧ୍ୟ ବିଧାନସଭାରେ ଉପସ୍ଥାପନ ହୋଇନି । ଏହା ସତ୍ତ୍ୱେ ଉଚ୍ଛେଦ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀ ମହାପାତ୍ର କହିଥିଲେ ।