ଦାନ୍ତ ପାଇଁ ବଳିପଡିଲା ଦନ୍ତା
ନୀଳଗିରି : ବାଲେଶ୍ବର ଜିଲ୍ଲାର ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ପୁଣି ଏକ ଦନ୍ତାହାତୀକୁ ଗୁଳିକରି ଦାନ୍ତ କାଟି ନେଇଛନ୍ତି ଶିକାରୀ। ଅଭୟାରଣ୍ୟର କଳମାଚତୁରି ନିକଟରେ ୩ ଦିନ ପୂର୍ବରୁ ଏହି ବିରାଟକାୟ ଦନ୍ତାକୁ ମାରି ଦିଆଯାଇଥିଲେ ମଧ୍ୟ ବନ ବିଭାଗ ଏହାର ଟେର୍ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ପାଟ୍ରୋଲିଂରେ ଯାଇଥିବା ବନ ବିଭାଗର କିଛି କର୍ମଚାରୀ ଗୁଳିବିଦ୍ଧ ଦନ୍ତାର ମୃତଦେହ ଠାବ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।
ଗୁରୁବାର ସକାଳେ ଦନ୍ତା ମୃତ୍ୟୁ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଆଗୁଆ ଖବର ପାଇ ସାତଘାଟି ଗେଟ୍ ପାଖରେ ପହଞ୍ଚିଥିଲେ। ମାତ୍ର, ଅଭୟାରଣ୍ୟ କର୍ତ୍ତୃପକ୍ଷ ଦୋଷ ଲୁଚାଇବା ପାଇଁ ସମସ୍ତପ୍ରକାର ଉଦ୍ୟମ କରିଥିଲେ। ଗେଟ୍ରେ ତାଲା ପକାଇ ଭିତରକୁ କାହାକୁ ଛାଡ଼ିନଥିଲେ। ବାହାରେ ଘଣ୍ଟା ଘଣ୍ଟା ଜଗି ବସିଥିବା ଗଣମାଧ୍ୟମ ପ୍ରତିନିଧି ଯଦିଓ ଅଭୟାରଣ୍ୟକୁ ଯାଇ ପାରିନଥିଲେ, କିନ୍ତୁ ସ୍ଥାନୀୟ ବନବାସୀଙ୍କ ସୂତ୍ରରୁ ସବୁ ଖବର ପାଇ ଯାଇଥିଲେ। ସେପଟେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନଜର ଆଢ଼ୁଆଳରୁ ବର୍ତ୍ତିବା ଲାଗି ଅନ୍ୟ ଏକ ଗଳାବାଟ ଦେଇ ପଳାଇ ଆସିଥିଲେ ବନ ବିଭାଗର ଅଧିକାରୀ। ଏସମ୍ପର୍କରେ ଖବର ପାଇ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ଓ ବନ କର୍ମଚାରୀଙ୍କ ସହ ବାଲେଶ୍ବର ଡିଏଫ୍ଓ ଖୁସବନ୍ତ ସିଂ ଆଜି ଘଟଣାସ୍ଥଳ ପରିଦର୍ଶନ କରି ହାତୀମୃତ୍ୟୁର ତଦନ୍ତ କରିଛନ୍ତି। ଭୁବନେଶ୍ବର ସ୍ପେଶାଲ ଟାକ୍ସଫୋର୍ସ ଦ୍ବାରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।