ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍‍: ନବୀନ ପଟ୍ଟନାୟକ

ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍‍: ନବୀନ ପଟ୍ଟନାୟକ

ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍‍: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ନିକଟରେ ନ୍ୟୁଜିଲାଣ୍ଡରେ ଶୁକ୍ରବାର ପ୍ରାର୍ଥନା ସଭାରେ ସଂଗଠିତ ଗଣହତ୍ୟାରେ ବହୁ ସଂଖ୍ୟକ ଶରଣାର୍ଥୀ ନିହତ ହୋଇଥିଲେ । ଏହି ଘାତକ ଆକ୍ରମଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମିସ୍‍ ଜାସିଣ୍ଡା ଆଡିନ୍‍ଙ୍କ ପ୍ରତିକ୍ରିୟା ତାଙ୍କୁ ବିଶ୍ୱବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଥିଲା । ତାଙ୍କର ପ୍ରତିକ୍ରିୟା ସାଧାରଣ ନେତାଙ୍କ ଭଳି ନଥିଲା । ସେ ସଂଖ୍ୟାଗରିଷ୍ଠଙ୍କ ସପକ୍ଷରେ ଯୁକ୍ତି କରି ଘଟଣାକୁ ହାଲୁକା କରିନଥିଲେ । ତାଙ୍କର ପ୍ରତିକ୍ରିୟା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଶରଣାର୍ଥୀମାନଙ୍କୁ ସମର୍ଥନ କରି ସେ କହିଥିଲେ, “ନ୍ୟୁଜିଲାଣ୍ଡ ସେମାନଙ୍କର ଘର । ସେମାନେ ଆମ ଭଳି ।” ଏଭଳି ଦୁଃଖଦ ଘଟଣା ଘଟାଇଥିବା ଅପରାଧୀଙ୍କୁ ସେ ଆତଙ୍କବାଦୀ ଭାବରେ ବର୍ଣ୍ଣନା କରି ସେ ନେତୃତ୍ୱର ଏକ ନୂଆ ପରିଭାଷା ସୃଷ୍ଟି କରିଥିଲେ । ତାଙ୍କର ପ୍ରତିକ୍ରିୟା ଧର୍ମ, ଜାତି ଆଦିର ସଂକୀର୍ଣ୍ଣ ପ୍ରାଚୀରକୁ ଅତିକ୍ରମ କରି ମାନବତାକୁ ସମର୍ଥନ କରିଥିଲା । ଜର୍ମାନର ଚାନ୍ସେଲର୍‍ ମିସ୍‍ ଅଞ୍ଜେଲା ମର୍କେଲ୍‍ ବୋଧହୁଏ ବିଶ୍ୱର ଏକମାତ୍ର ନେତ୍ରୀ ଯିଏକି ଜାତୀୟତାର ସୀମା ସରହଦକୁ ଖାତିର ନକରି ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଶରଣାର୍ଥୀମାନଙ୍କୁ ସ୍ୱାଗତ କରିଥିଲେ ଏବଂ ମାନବ ଜାତି ପ୍ରତି ତାଙ୍କର ଅନୁକମ୍ପା ପ୍ରଦର୍ଶନ କରିଥିଲେ । ଏହି ନେତାମାନେ କ୍ଷମତାର ନୂଆ ପରିଭାଷା ସୃଷ୍ଟି କରିଛନ୍ତି । ସେମାନଙ୍କ ନେତୃତ୍ୱରେ ଥିଲା ଦୃଢ଼, ଶାନ୍ତି ଓ ସମ୍ବେଦନଶୀଳ । ମହିଳାମାନେ ରାଜନୀତିରେ କି ପ୍ରକାର ପରିବର୍ତ୍ତନ ଆଣିପାରିବେ, ଏହି ନେତାମାନେ ହେଉଛନ୍ତି ତା’ର ପ୍ରକୃଷ୍ଟ ଉଦାହରଣ । ଯଦି ରାଜନୀତି ହେଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାନେ ଅଧିକ ମାନବୀୟ ସ୍ପର୍ଶ ଦେଇପାରିବେ । ଯଦି ରାଜନୀତି ଗୋଟିଏ ଦେଶର ମୂଲ୍ୟବୋଧକୁ ନିର୍ଦ୍ଧାରଣ କରିପାରେ, ତେବେ ଲୋକସଂଖ୍ୟାର ଅର୍ଦ୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁଯୋଗ ନଦେବା କ’ଣ ବିଜ୍ଞତାର ପରିଚାୟକ? ବିଜୁବାବୁ ମହିଳା ସଶକ୍ତିକରଣର ଜଣେ ଅଗ୍ରଗଣ୍ୟ ସାରଥି ଥିଲେ । ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ସେ ୩୩ ପ୍ରତିଶତ ସଂରକ୍ଷଣ ଆରମ୍ଭ କରିଥିଲେ । ଆମେ ତାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛୁ । ଆରମ୍ଭରୁ ଏହାକୁ ବହୁତ ସମାଲୋଚନା କରାଯାଇଥିଲା । ଲୋକେ କହୁଥିଲେ, ସ୍ୱାମୀ ଏବଂ ବାପାମାନେ ହିଁ ବାସ୍ତବରେ ସବୁକଥା ବୁଝାବୁଝି କରିବେ । ବୋଧହୁଏ ପ୍ରଥମରୁ ଏହା କିଛି ମାତ୍ରାରେ ଠିକ୍‍ ଥିଲା । ଆଜି ଷାଠିଏ ହଜାର ମହିଳା ଓଡ଼ିଶାରେ ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସଭାପତି ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର ହ୍ରାସ ଆଦି ବିଭିନ୍ନ ସାମାଜିକ, ଅର୍ଥନୈତିକ ସୂଚକାଙ୍କରେ ଯେଉଁ ପରିବର୍ତ୍ତନ ଆସିଛି, ତା’ର ସମସ୍ତ ଶ୍ରେୟ ହେଉଛି ତୃଣମୂଳ ସ୍ତରରେ କାମ କରୁଥିବା ଆମର ମହିଳା ନେତାମାନଙ୍କର । ଏହାର ଶ୍ରେୟ ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହୋଇଥିବା ୭୦ ଲକ୍ଷ ମା’ମାନଙ୍କର । ଯେଉଁ ଦେଶ ତା’ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଫୋରମ୍‍ରେ ମହିଳାମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ପାଇଁ ସୁଯୋଗ ସୃଷ୍ଟି କରିନାହିଁ, ତାହା ସିଙ୍ଗିଲ୍‍ ଇଞ୍ଜିନ୍‍ରେ ଚାଲିବା ପରି ହୋଇଥାଏ । ଠିକ୍‍ ଭାବରେ ବିକାଶ ହୋଇନଥାଏ । ମୋ ମତରେ ଭାରତକୁ ଯଦି ବିକାଶର ଶିଖରରେ ପହଞ୍ôଚବାର ଅଛି, ଆମେରିକା, ଚାଇନା ପରି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଛି, ତା’ହେଲେ ତାକୁ ତା’ର ରାଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ । ମହିଳାମାନଙ୍କୁ ସଶକ୍ତ କରିବାକୁ ହେବ । ଏହା ହିଁ ହେଉଛି ଆମ ଦେଶ ଆବଶ୍ୟକ କରୁଥିବା ପ୍ରକୃତ ଡବଲ ଇଞ୍ଜିନ୍‍ । ଏହାଦ୍ୱାରା ହିଁ ବିକାଶ ଓ ସମତା ଆସିପାରିବ । ଯଦି ଆମେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇଥାନ୍ତେ, ତା’ହେଲେ ଆନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଉପରେ ଆମର ଦୃଷ୍ଟିଭଙ୍ଗୀ ଆଜି ଭିନ୍ନ ହୋଇଥାନ୍ତା । ଯୁଦ୍ଧ, ଶାନ୍ତି ଓ ଆତଙ୍କବାଦ ଆଦି ପ୍ରଶ୍ନ ଭିନ୍ନ ଭାବରେ ସମାହିତ ହୋଇଥାନ୍ତା । ଧର୍ଷଣ, ଯୌନ ନିର୍ଯାତନା ଓ ଯୌତୁକ ସଂପର୍କିତ ଆମର ଆଇନ୍‍ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିବ । ଶିକ୍ଷା, ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱ ଦେଇପାରିବ । କର୍ପୋରେଟ୍‍ ଆୟ ପରି ପରିବାରର ଆୟ ବୃଦ୍ଧି ମଧ୍ୟ ଉପଯୁକ୍ତ ପ୍ରାଥମିକତା ପାଇପାରିବ । ଆମ ଦଳ ସାରା ଦେଶରେ ପ୍ରଥମ ରାଜନୈତିକ ଦଳ ଯିଏକି ପ୍ରଥମକରି ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଇବା ପାଇଁ ନିଷ୍ପତ୍ତି କରିଛି । ବିଜୁ ଜନତା ଦଳର ସଭାପତି ଭାବରେ ଏହା ଥିଲା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ ମୁହୂର୍ତ୍ତ । ଆମର ଉଭୟ ଜାତୀୟ ଦଳ ବାରମ୍ବାର ସେମାନଙ୍କ ଇସ୍ତାହାରରେ ମହିଳା ସଶକ୍ତିକରଣ ବିଷୟ କହି ଆସୁଛନ୍ତି । କିନ୍ତୁ ଯେତେବେଳେ ଏହହାକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଆସିଛି, ସେତେବେଳେ ସେମାନଙ୍କ ଉଦ୍ଦେଶ୍ୟମୂଳକ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେମାନଙ୍କର ଏହି ନିରବତାକୁ ଭଙ୍ଗ କରିବାକୁ ବିଜୁ ଜନତା ଦଳ ତା’ର ଭୂମିକା ତୁଲାଇଛି । ମୁଁ ନିଶ୍ଚିତ ଯେ ଆମର ୭ଜଣ ମହିଳା ପ୍ରାର୍ଥୀଙ୍କ ସ୍ୱର ଲୋକସଭାର ପବିତ୍ର ଗୃହରେ ପ୍ରତିଧ୍ୱନିତ କରିବା ପାଇଁ ଓଡ଼ିଶାବାସୀ ସୁଯୋଗ ଦେବେ । ମୁଁ ଆଶାବାଦୀ ଯେ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆମର ଜାତୀୟ ଦଳମାନଙ୍କୁ ପ୍ରଭାବିତ କରିବ ।