ଦିଲ୍ଲୀକୁ ୧୫,୦୦୦ ଏନ ୯୫ ମାସ୍କ ଦେଲେ ଯୁବରାଜ
ଦିଲ୍ଲୀକୁ ୧୫,୦୦୦ ଏନ ୯୫ ମାସ୍କ ଦେଲେ ଯୁବରାଜ
admin
Apr 21, 2020 - 10:56
Updated: Apr 21, 2020 - 10:56
ନୂଆଦିଲ୍ଲୀ: ପ୍ରସିଦ୍ଧ ଅଲରାଉଣ୍ଡର ଯୁବରାଜ ସିଂହ ଭାରତର କୋଭିଡ-୧୯ ଲଢ଼େଇରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେ ସୋସିଆଲ ମିଡିଆରେ ନିୟମିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ପାଳନ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରି ଆସୁଛନ୍ତି । ସେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଯୁବି ଦିଲ୍ଲୀ ସରକାରଙ୍କୁ ୧୫,୦୦୦ ଏନ ୯୫ ମାସ୍କ ପ୍ରଦାନ କରିଛନ୍ତି । ସେ ଦିଲ୍ଲୀର କରୋନା ଯୋଦ୍ଧାମାନଙ୍କ ପାଇଁ ଏହି ମାସ୍କ ପଠାଇଛନ୍ତି । ଯୁବିଙ୍କ ଏହି ପଦକ୍ଷେପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
ଯୁବରାଜ କହିଛନ୍ତି, କୋଭିଡ-୧୯ ଲଢ଼େଇରେ ଦେଶରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ହେଉନ୍ତି ପ୍ରକୃତ ହିରୋ । ମୁଁ ଏବଂ ଟିମ ‘ୟୂ ୱ କ୍ୟାନ’ ପକ୍ଷରୁ ଦିଲ୍ଲୀ କରୋନା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କୁ ୧୫,୦୦୦ ଏନ୯୫ ମାସ୍୍ ପଠାଇଛୁ ।’ ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଯୁବରାଜଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯୁବରାଜ ଜୀ ଦିଲ୍ଲୀ ଆପଣଙ୍କ ସହଯୋଗ ପାଇଁ ଆଭାରି ହୋଇ ରହିବ । କ୍ୟାନସର ଭଳି ମାରାତ୍ମକ ରୋଗକୁ ତୁମେ ହରାଇଛ, ଏହି କଠିନ ସମୟରେ ଏହା ପ୍ରେରଣା ଯୋଗାଇବ । ଆମେ ସମସ୍ତେ ଏକାଠି ହୋଇ କରୋନାକୁ ହରାଇପାରିବା ।’ କେଜରିୱାଲଙ୍କ ଟ୍ୱିଟର ଉତ୍ତର ଦେଇ ଯୁବି ଧନ୍ୟବାଦ ଜଣାଇବାକୁ ଭୁଲି ନଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଯୁବରାଜ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ (କେୟାର୍ସ) କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦାନ କରିଥିଲେ ।