ଦୀର୍ଘ ୩୦ ବର୍ଷ ପରେ ଚୀନ କିଣିବ ଭାରତ ଚାଉଳ

ଦୀର୍ଘ ୩୦ ବର୍ଷ ପରେ ଚୀନ କିଣିବ ଭାରତ ଚାଉଳ

ଦୀର୍ଘ ୩୦ ବର୍ଷ ପରେ ଚୀନ କିଣିବ ଭାରତ ଚାଉଳ
ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଗତ ଜୁନ ୧୫ରେ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ଦ୍ୱିପାକ୍ଷିକ କାରବାର ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ଏକ ଗମ୍ଭୀର ସମୟରେ ପ୍ରଥମ ଥର ଲାଗି ଭାରତକୁ ଚାଉଳ ଆମଦାନି କରିବାକୁ ଚୀନ ଆଗ୍ରହ ଦେଖାଇଛି । ତିରିଶ ବର୍ଷ ବ୍ୟବଧାନ ପରେ ଏଭଳି ଚମକ୍ରାର ହେବାକୁ ଯାଉଛି । ଚାଉଳ ଆମଦାନି କରିବାରେ ଚୀନ ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା ବେଳେ ରପ୍ତାନିରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । କିନ୍ତୁ ଚୀନ କେବେ ବି ଭାରତ ଚାଉଳ କିଣିବାକୁ ଆଗ୍ରହ ପ୍ରକାଶ କରି ନାହିଁ । ଭାରତ ଚାଉଳକୁ ଏହା ନିମ୍ନ ମାନର ଆଖ୍ୟା ଦେଉଥିଲା । ଏହା ପ୍ରତିବର୍ଷ ଥାଇଲ୍ୟାଣ୍ଡ, ଭିଏତନାମ, ମିଅାଁମାର ଏବଂ ପାକିସ୍ତାନରୁ ଚାଉଳ କିଣୁଥିଲା । ଚଳିତ ବର୍ଷ ସ୍ଥିତି ଭାରତ ସପକ୍ଷରେ ରହିଛି । ଚୀନ ଯେଉଁ ସବୁ ଦେଶରୁ ଚାଉଳ କିଣୁଥିଲା ସେଠାରୁ ବନ୍ୟା ଓ ଅନ୍ୟାନ୍ୟ କାରଣ ଯୋଗୁଁ କମ୍‍ ପରିମାଣର ବଳକା ଚାଉଳ ରହିଛି । ସେମାନଙ୍କ ଚାଉଳ ଦାମ ମଧ୍ୟ ଅଧିକ ରହିଛି । ଏଭଳି ଏକ ସମୟରେ ଭାରତ ଏହାର ଚାଉଳ ଉପରେ ବିପୁଳ ପରିମାଣର ରିହାତି ଦେଉଛି । ତେଣୁ ଏହି ସୁଯୋଗକୁ ଚୀନ ହାତ ଛଡ଼ା କରିବାକୁ ଚାହୁଁନାହିଁ । ଚୀନ ପ୍ରତିବର୍ଷ ୪୦ ଲକ୍ଷ ଟନ ଚାଉଳ ଆମଦାନି କରିଥାଏ । ଚାଉଳ ରପ୍ତାନିକାରୀ ସଂଘର ସଭାପତି ବିବି କି୍ରଷ୍ଣା ରାଓ କହିଛନ୍ତି ଯେ ତିନି ଦଶନ୍ଧୀ ପରେ ଚୀନ ଚାଉଳ ଆମଦାନି କରିବାକୁ ଆଗ୍ରହ ଦେଖାଇଛି । ଚଳିତ ବର୍ଷ ଡିସେମ୍ବରରୁ ଆସନ୍ତା ବର୍ଷ ଫେବୃୟାରୀ ମଧ୍ୟରେ ଚୀନକୁ ୧ ଲକ୍ଷ ଟନ ଚାଉଳ ପଠାଇବା ଲାଗି ଭାରତୀୟ ରପ୍ତାନୀକାରୀମାନେ ବରାଦ ହାସଲ କରିଛନ୍ତି ।