ଦୁର୍ବଳ ହେବ ଲଘୁଚାପ

ଦୁର୍ବଳ ହେବ ଲଘୁଚାପ

ଦୁର୍ବଳ ହେବ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଲଘୁଚାପ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଛତିଶଗଡ଼ ଆଡକୁ ଗତି କରୁଛି । ୧୨ ଘଣ୍ଟା ଭିତରେ ଏହା କ୍ରମଶଃ ଦୁର୍ବଳ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ । ତେବେ ଲଘୁଚାପ ପ୍ରଭାବରେ ସୋମବାର ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମରୁ ଭାରୀ ବର୍ଷା ହେବାର ସମ୍ଭାବନା ଅଛି । ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
୧୩ରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୪ରେ ଉପକୂଳରେ ବର୍ଷା ବଢ଼ିବ । ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୧୫ରେ ଆଭ୍ୟନ୍ତରୀଣ, ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାରେ ବର୍ଷା ଲାଗିରହିବ ।
ସେପଟେ ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୧୫୪ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୧୪୨.୮, କୋରାପୁଟ ଜିଲ୍ଲା କୋଟପାଡରେ ୧୦୬, ବାଲେଶ୍ୱରରେ ୧୦୧, କଟକ ବାଙ୍କିରେ ୯୮, ମୟୂରଭଞ୍ଜ ବାଲିମୁଣ୍ଡଳିରେ ୯୪ମିମି ବର୍ଷା ହୋଇଛି । ରବିବାର ସକାଳୁ ସନ୍ଧ୍ୟା ଭିତରେ ବଲାଙ୍ଗିରରେ ସର୍ବାଧିକ ୫୮.୪ମିମି ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୬.୯, ପାରାଦୀପରେ ୨୮.୩, ଭୁବନେଶ୍ୱରରେ ୨୫.୪, ମାଲକାନଗିରିରେ ୧୮.୨, ତାଳଚେରରେ ୧୮ ଓ ଦାରିଙ୍ଗିବାଡିରେ ୧୬ମିମି ବର୍ଷା ହୋଇଛି ।