ଧଉଳି ମନ୍ଦିର ନିର୍ମାଣକୁ ନେଇ ବିବାଦ
ଧଉଳି ମନ୍ଦିର ନିର୍ମାଣକୁ ନେଇ ବିବାଦ
admin
Aug 12, 2020 - 08:02
Updated: Aug 12, 2020 - 08:02
ଭୁବନେଶ୍ୱର: ଧଉଳି ପାହାଡ଼ ନିକଟରେ ଥିବା ସଙ୍କଟେଶ୍ୱର ମନ୍ଦିର ମରାମତିକୁ ନେଇ ବିବାଦ ଉପୁଜିଛି । ମରାମତି କରୁଥିବା ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ଗାଳି କରିଥିବା ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି । ଶ୍ରୀ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଧଉଳି ପାହାଡ଼ରେ ସଙ୍କଟେଶ୍ୱର ନାମରେ ଏକ ମନ୍ଦିର ରହିଛି । ବର୍ଷ ବର୍ଷ ଧରି ଏହା ମରାମତି ହେଉନଥିବାରୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସେ ଏହାକୁ ମରାମତି କରୁଥିଲେ । ସକାଳେ ମନ୍ତ୍ରୀଙ୍କ ଜଣେ ସହଯୋଗୀ ରବୀନ୍ଦ୍ର ସାହୁ ତାଙ୍କୁ ଫୋନ କରି ମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ସାକ୍ଷାତ କରିବାକୁ କହିଥିଲେ । ଶ୍ରୀକାନ୍ତ ଓ ତାଙ୍କର ଜଣେ ବନ୍ଧୁ ଆତ୍ମୀୟ ମହାନ୍ତି ମନ୍ତ୍ରୀଙ୍କ ଫରେଷ୍ଟ ପାର୍କ ସ୍ଥିତ ବାସଭବନରେ ପହଞ୍ଚିଥିଲେ । କିନ୍ତୁ ମନ୍ତ୍ରୀ ସେଠାରେ ଗାଳି କରିଥିଲେ । ‘ତତେ କିଏ କହିଲା କାମ କରିବା ପାଇଁ ବୋଲି କହିବା ସହ ତାଙ୍କୁ ଧକ୍କା ମାରିଥିଲେ । ‘ନିଜ ବ୍ୟବସାୟ କର, ଏଥିରେ ପଶନା, ନ ହେଲେ ଖରାପ ହେବ’ ବୋଲି ଧମକ ଦେଇଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଅଭିଯୋଗକୁ ଖଣ୍ଡନ କରି ଏହା ଭିତ୍ତିହୀନ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ ଯେଉଁ ଜାଗାରେ ମନ୍ଦିର ଅଛି ତାହା ପର୍ଯ୍ୟଟନ ବିଭାଗର ଜାଗା । ପର୍ଯ୍ୟଟନ ବିଭାଗ, ସ୍ଥାନୀୟ ସରପଞ୍ଚ କାହାଠାରୁ ଅନୁମତି ନ ନେଇ ବେଆଇନ ଭାବେ ସେଠାରେ ନିର୍ମାଣ କାମ ଚାଲିଛି । ଏପରିକି ଜଙ୍ଗଲ ବିଭାଗର ବିନା ଅନୁମତିରେ ଗଛ ମଧ୍ୟ କଟାଯାଇଛି । ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ଗଦା କରିଥିବାରୁ ଆରଆଇ ମଧ୍ୟ ନୋଟିସ ଦେଇଛନ୍ତି । ବିନା ଅନୁମତିରେ ଏପରି ନ କରିବା ପାଇଁ ତାଙ୍କୁ କୁହାଯାଇଥିଲା । ଗାଳି ଦେବା, ଧମକ ଦେବା ଆଦି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।