ନୂଆ କୌଶଳ : ହ୍ବାଟ୍ସଆପ୍ ହ୍ୟାକ୍ କରୁଛନ୍ତି ସାଇବର ଅପରାଧୀ
କଟକ : ବିଳମ୍ବିତ ରାତିରେ ହ୍ବାଟସଆପରୁ କୌଣସି ମେସେଜ୍ କିମ୍ବା ଫୋନ୍ କଲ୍ ଆସୁଛି କି? ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବର୍ ବିଶେଷଜ୍ଞ। ସାଇବର୍ ଅପରାଧୀ ତାଙ୍କ ମୋବାଇଲ୍ ମାଧ୍ୟମରେ କଲ୍ ଉଠାଇଥିବା ବ୍ୟକ୍ତିର ହ୍ବାଟସଆପ୍ ନମ୍ବରକୁ ଲଗ୍-ଇନ୍ କରି ଯୋଗାଯୋଗ ନମ୍ବରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରୁଛନ୍ତି। ଏହାଦ୍ବାରା ହ୍ବାଟସଆପ୍ ବ୍ୟବହାରକାରୀଙ୍କ ମୋବାଇଲରେ ଥିବା ସମସ୍ତ ତଥ୍ୟ ଅସୁରକ୍ଷିତ ହୋଇପଡ଼ୁଛି। ଏଭଳି ଘଟଣା କ୍ରାଇମବ୍ରାଞ୍ଚ ଓ ରାଜ୍ୟର ସାଇବର୍ ପୁଲିସ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। ଏଥିରୁ ବର୍ତ୍ତିବା ପାଇଁ ହ୍ବାଟସ୍ଆପ୍ରେ ଥିବା ‘ଟୁ ଷ୍ଟେପ୍ ଭେରିଫିକେସନ୍କୁ ଆକ୍ଟିଭ୍ କରାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ରାତିରେ ମୋବାଇଲ୍ ବ୍ୟବହାରକାରୀ ଶୋଇ ପଡ଼ିଲା ପରେ ସାଇବର୍ ଅପରାଧୀମାନେ ହ୍ବାଟସଆପ୍ ହ୍ୟାକ୍ କରୁଛନ୍ତି। ବିଳମ୍ବିତ ରାତିରେ ସରକାରୀ ଅଧିକାରୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଯୋଗାଯୋଗ ନମ୍ବର ୱେବସାଇଟ୍ ଓ ସୋସିଆଲ୍ ମିଡିଆରୁ ସଂଗ୍ରହ କରି ଏହାକୁ ନିଜ ମୋବାଇଲର ହ୍ବାଟସଆପ୍ ଆପ୍ଲିକେସନ୍ରେ ଦେଉଛନ୍ତି। ଏହାଦ୍ବାରା ହ୍ବାଟସଆପ୍ ହିତାଧିକାରୀଙ୍କ ମୋବାଇଲକୁ ଏକ ଓଟିପି ଆସୁଛି। କଲ୍ ମାଧ୍ୟମରେ ବି ଓଟିପି ଆସିବାର ବ୍ୟବସ୍ଥା ଥିବାରୁ ଦ୍ବିତୀୟଥର ହ୍ୟାକର୍ ଲଗ୍ ଇନ୍ ସମୟରେ କଲ୍ ଅପସନରେ କ୍ଲିକ୍ କରୁଛନ୍ତି। ଏହି କଲ୍ ହ୍ବାଟସଆପ୍ ବ୍ୟବହାରକାରୀଙ୍କ ମୋବାଇଲକୁ ଆସୁଛି। ହ୍ବାଟସଆପକୁ ଆସୁଥିବା କଲରେ ଓଟିପି ସାଧାରଣତଃ ମୋବାଇଲର ଶେଷ ଚାରି ସଂଖ୍ୟା ରହୁଛି .
ତେଣୁ ସାଇବର୍ ଅପରାଧୀ ନିଜ ଫୋନରେ କୋଡ ଦେବା ସମୟରେ ଏହି ଚାରି ସଂଖ୍ୟା ଦେଇ ହ୍ବାଟସଆପ୍ ଲଗ୍ ଇନ୍ କରି ଦେଉଛନ୍ତି। ଫଳରେ ଲୋକଙ୍କ ହ୍ବାଟସଆପ୍ ନମ୍ବର ହ୍ୟାକ୍ ହୋଇଯାଉଛି। ହ୍ବାଟସଆପ୍ ବ୍ୟବହାରକାରୀଙ୍କ ମୋବାଇଲର ସମସ୍ତ ଯୋଗାଯୋଗ ନମ୍ବର ନିଜ ନିୟନ୍ତ୍ରଣକୁ ନେଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଥବା ଅନ୍ୟ କାରଣ ଦର୍ଶାଇ ସାଇବର ଅପରାଧୀ ଟଙ୍କା ଲୁଟୁଛନ୍ତି। ବ୍ୟକ୍ତିଗତ ଫଟୋ ହ୍ବାଟସଆପରୁ ଚୋରାଇ ନେଇ ବ୍ଲାକମେଲ୍ ବି କରୁଛନ୍ତି। ଓଡ଼ିଶାରେ ହୋଇଥିବା ସମସ୍ତ ହ୍ବାଟସଆପ୍ ହ୍ୟାକ ଏଭଳି ଶୈଳୀରେ ହୋଇଥିବା ଜଣେ ସାଇବର୍ ପୁଲିସ ଅଧିକାରୀ କହିଛନ୍ତି।