ଜଗାବଳିଆ ଖୁବଶୀଘ୍ର ଓଡ଼ିଶା ଫେରିବେ: ମନାକଲା ଭୁବନେଶ୍ୱର ଏମ୍ସ , ଏସସିବି ସାହା
ଜଗାବଳିଆ ଖୁବଶୀଘ୍ର ଓଡ଼ିଶା ଫେରିବେ: ମନାକଲା ଭୁବନେଶ୍ୱର ଏମ୍ସ , ଏସସିବି ସାହା
admin
Aug 3, 2019 - 05:44
Updated: Aug 3, 2019 - 05:44
ଭୁବନେଶ୍ୱର: ଗତ ଦୁଇବର୍ଷ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗାବଳିଆ ଖୁବ୍ଶୀଘ୍ର ଓଡ଼ିଶା ଫେରିବେ । ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଏହି ଯୋଡ଼ାମୁଣ୍ଡ ଶିଶୁଙ୍କୁ ରଖିବା ପାଇଁ ମନା କରିଦେବା ପରେ ସେମାନଙ୍କୁ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍ସିବି) ରେ ରଖାଯିବା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ବଳିଆଙ୍କ ପିତାମାତା ଆଉ ସେଠାରେ ରହିବାକୁ ରାଜି ନୁହନ୍ତି । ଦୁଇ ଶିଶୁ ଓଡ଼ିଶା ଫେରିଲେସେମାନଙ୍କୁ ଭୁବନେଶ୍ୱର ଏମ୍ସରେ ରଖି ଚିକିତ୍ସା ଲାଗି ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ । ମାତ୍ର ଏମ୍ସ କର୍ତ୍ତୃପକ୍ଷ ଦୁଇ ଶିଶୁକୁ ରଖିପାରିବେ ନାହିଁ ବୋଲି ଲିଖିତ ଭାବେ ଗତକାଲି ଜଣାଇଛନ୍ତି । କେନ୍ଦ୍ରୀୟ ସଂସ୍ଥାର ଏଭଳି ମନୋଭାବ ପରେ ରାଜ୍ୟ ସରକାର ଦୁଇ ଶିଶୁଙ୍କୁ ଏସ୍ସିବିରେ ରଖି ଚିକିତ୍ସା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଦୁଇ ଶିଶୁଙ୍କ ଚିକିତ୍ସା ଲାଗି ଡାକ୍ତରୀଦଳ ଗଠନ କରାଯିବା ସହ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି ।
ଏମ୍ସ କର୍ତ୍ତୃପକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଲାଗି ଦିଆଯାଇଥିବା ପ୍ରସ୍ତାବ ଉପରେ ନ୍ୟୁରୋସର୍ଜନ, ଶିଶୁରୋଗ ବିଶେଷଜ୍ଞ, ପେଡିଆଟ୍ରିକ୍ ସର୍ଜନ, କ୍ରିଟିକାଲ କେୟାର ବିଶେଷଜ୍ଞ, ଭେଷଜ ପରାମର୍ଶଦାତା ଓ ରିହାବିଲିଟେଟିଂ ଫିଜିସିଆନଙ୍କ ସହ ଆଲୋଚନା ହୋଇଥିଲା । ଜଗା ବଳିଆଙ୍କ ଲାଗି ଅତ୍ୟାଧୁନିକ ଚିକିତ୍ସା ସହ ଭିତ୍ତିଭୂମିର ଆବଶ୍ୟକତା ରହିଛି । ମାତ୍ର ଭୁବନେଶ୍ୱର ଏମ୍ସରେ ଏସବୁ ସୁବିଧା ନ ଥିବା ସତ୍ତେ୍ୱ ଏମ୍ସ କର୍ତ୍ତୃପକ୍ଷ ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଉଛନ୍ତି । ଅସ୍ତ୍ରୋପଚାର ଦ୍ୱାରା ଦୁଇ ଶିଶୁଙ୍କ ମୁଣ୍ଡ ଅଲଗା ହେବା ପରେ ପ୍ରାୟ ଦୁଇବର୍ଷ ଧରି ସେମାନେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଦୁଇ ଶିଶୁଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଇଛି । ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଦୁଇ ଶିଶୁଙ୍କ ଓଡ଼ିଶା ଫେରିବା ନେଇ ସୂଚନା ଦେବା ପରେ ଜଗା ବଳିଆ ଦିଲ୍ଲୀରୁ ଫେରି କଟକସ୍ଥିତ ଏସ୍ସିବିରେ ଚିକିତ୍ସିତ ହେବା ନେଇ ସ୍ପଷ୍ଟ ହୋଇଛି ।