ସବୁଠୁ ବଡ଼ ଅର୍ଥନୀତି: ସପ୍ତମକୁ ଖସିଲା ଭାରତ

ସବୁଠୁ ବଡ଼ ଅର୍ଥନୀତି: ସପ୍ତମକୁ ଖସିଲା ଭାରତ

ସବୁଠୁ ବଡ଼ ଅର୍ଥନୀତି: ସପ୍ତମକୁ ଖସିଲା ଭାରତ
ନୂଆଦିଲ୍ଲୀ: ସରକାର ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି । ଏଥିନେଇ ବଜେଟ୍ରେ ଘୋଷଣା ମଧ୍ୟ କରାଯାଇଛି । କିନ୍ତୁ ଭାରତର ଅର୍ଥନୀତି ନିମ୍ନମୁଖୀ ହେବାରେ ଲାଗିଛି । ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ବଡ଼ ଅର୍ଥନୈତିକ ମହାଶକ୍ତିର ଦେଶ ତାଲିକାରେ ଭାରତ ୨୦୧୮ ମସିହାରେ ସପ୍ତମ ସ୍ଥାନକୁ ଖସିଆସିଛି । ଏହା ପୂର୍ବ ବର୍ଷ ଭାରତ ଷଷ୍ଠ ସ୍ଥାନରେ ଥିବା ବେଳେ ୨୦୧୮ ରେ ଏହା ଗୋଟିଏ ସ୍ଥାନ ତଳକୁ ଖସିଯିବା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି ତାଲିକାରେ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ଏବଂ ଜାପାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଆକାର ସର୍ବାଧିକ ୨୦.୫ ଲକ୍ଷ କୋଟି ଡଲାରରେ ପହଞ୍ଚିଥିବା ବେଳେ ଚୀନ ଅର୍ଥନୀତିରେ ଆକାର ୧୩.୬ ଲକ୍ଷ କୋଟି ଡଲାର ଏବଂ ଜାପାନ ଅର୍ଥନୀତିର ଆକାର ପାଖାପାଖି ୫ ଲକ୍ଷ କୋଟି ଡଲାର ରହିଛି । ଏମାନଙ୍କ ପଛକୁ ଜର୍ମାନୀ ୪ ଲକ୍ଷ କୋଟି ଡଲାର ଜିଡିପି ସହିତ ଚତୁର୍ଥ, ବିଟ୍ରେନ ୨.୮ ଲକ୍ଷ କୋଟି ଡଲାର ଜିଡିପି ସହିତ ପଞ୍ଚମ ଓ ଫ୍ରାନ୍ସ ୨.୭୭ ଲକ୍ଷ କୋଟି ଡଲାର ଜିଡିପି ସହିତ ଷଷ୍ଠ ସ୍ଥାନରେ ରହିଛି । ତେବେ ୨୦୧୮ ରେ ଭାରତ ଜିଡିପି ଆକାର ୨.୭୩ ଲକ୍ଷ କୋଟି ଡଲାର ରହିଛି । ଫଳରେ ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି । ୨୦୧୭ରେ ଭାରତର ଜିଡିପି ୨.୬୫ ଲକ୍ଷ କୋଟି ଡଲାର ରହିଥିଲା । ରେଟିଂ ଏଜେନ୍ସି କ୍ରିସିଲ ଭାରତର ଜିଡିପି ଅଭିବୃଦ୍ଧି ନେଇ ସେତେଟା ଆଶାବାଦୀ ନାହିଁ । ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୧ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା । କିନ୍ତୁ ପରେ ଏଥିରେ ସଂଶୋଧନ ଆଣି ୬.୯ ପ୍ରତିଶତକୁ କମାଇ ଦେଇଛି । ଜୁନ୍ରେ ମୌସୁମୀ ବର୍ଷା କମ୍ ରହିବା ଏବଂ ବିଶ୍ୱରେ ଅର୍ଥନୈତିକ ଅଭିବୃଦ୍ଧିର ମନ୍ଥରତା ଆଦି କାରଣରୁ ଏଭଳି ଆକଳନ କରାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା ଅଭିବୃଦ୍ଧି ଆଉ କେତେ ତଳକୁ ଖସିବ ସେ ନେଇ କିଛି ଜଣାପଡ଼ୁନାହିଁ । ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନଥିବାରୁ ଭାରତର ଜିଡିପି ଅଭିବୃଦ୍ଧିକୁ ୭ ପ୍ରତିଶତରୁ ଉପରକୁ ନେବା ପାଇଁ ଆବଶ୍ୟକ ନିବେଶ ଯୋଗାଡ଼ କରିବାର ସମ୍ଭାବନା ଖୁବ କମ୍ । ତେବେ ନିକଟରେ ସରକାର ଗ୍ରହଣ କରିଥିବା କେତେକ ସଂସ୍କାର ଧର୍ମୀ ପଦକ୍ଷେପର ସୁଫଳ ମଧ୍ୟମ ଅବଧିରେ ଯାଇ ମିଳିବ । କିନ୍ତୁ ତାହା କେତେ ପ୍ରଭାବୀ ହେବ ତାହା ହିଁ ବଡ଼ ପ୍ରଶ୍ନ ବୋଲି କ୍ରିସିଲର ମୁଖ୍ୟ ଅର୍ଥନୀତିଜ୍ଞ ଧର୍ମକୃତି ଯୋଶୀ କହିଛନ୍ତି । କେବଳ କ୍ରିସିଲ ନୁହେଁ ଏଡିବି ମଧ୍ୟ ଭାରତର ଜିଡିପି ଅଭିବୃଦ୍ଧିକୁ ନେଇ ଚିନ୍ତାବୃକ୍ତି କରିଛି । ପୂର୍ବରୁ ଏପ୍ରିଲରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଭାରତର ଅଭିବୃଦ୍ଧି ନେଇ ଯେଉଁ ଆକଳନ କରିଥିଲା ଜୁଲାଇରେ ତାହାକୁ କମାଇ ଦେଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଚଳିତ ଆର୍ଥିକ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷ ୭.୨ ପ୍ରତିଶତ ରହିବ । ତେଣୁ ଭାରତକୁ ୨୦୨୪ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହାକୁ ସବୁ ବିଶେଷଜ୍ଞ ସମର୍ଥନ କରିପାରୁନାହାନ୍ତି । ସେମାନଙ୍କ ମତରେ ଏହି ଲକ୍ଷ୍ୟ ଧାର୍ଯ୍ୟ ଅତ୍ୟନ୍ତ ଉଚ୍ଚାଭିଳାଷୀ