ନକଲି ଡାକ୍ତର କରୁଛନ୍ତି ରୋଗୀ ସେବା !

ନକଲି ଡାକ୍ତର କରୁଛନ୍ତି ରୋଗୀ ସେବା !

ନକଲି ଡାକ୍ତର କରୁଛନ୍ତି ରୋଗୀ ସେବା !
ସୁନ୍ଦରଗଡ: ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ନକଲି ଡାକ୍ତର। ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ନକଲି ଡାକ୍ତର ରୋଗୀ ସେବା କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ଗତ ୨୦୧୬ମସିହାରୁ ନୂଆଗାଁ ବ୍ଲକ୍ ସରକାରୀ ଡାକ୍ତରଖାନାରେ ପଦ୍ମନାଭ ମୁଖୀ କାରୁଆ ନାମକ ଜଣେ ଡାକ୍ତର ରୋଗୀ ସେବା କରି ଆସୁଛନ୍ତି। ହେଲେ କାରୁଆ ଜଣେ ନକଲି ଡାକ୍ତର ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣି ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସାର୍ଟିଫିକେଟ ଯାଞ୍ଚ ଚାଲୁଥିବାର ସଫେଇ ଦେଇଛନ୍ତି ସିଡିଏମଓ। ରୋଗୀଙ୍କ ଜୀବନ ଜଣେ ନକଲି ଡାକ୍ତରଙ୍କ ହାତରେ ଏଭଳି ସାଂଘାତିକ ଅଭିଯୋଗ ପରେ ଦୀର୍ଘ ଦିନ ଧରି ସମ୍ପୃକ୍ତ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ହୋଇ ନପାରିବା ସରକାରୀ କଳ ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ସେପଟେ ଡାକ୍ତର କାରୁଆ ନୂଆଗାଁ ଅଞ୍ଚଳରେ ପାଖାପାଖି ୪୦ ମାସ ଚାକିରୀ କାଳରେ ଦରମା ବାବଦକୁ ଓଡିଶା ସରକାରଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ନେଇ ସାରିଲେଣି। ସୂଚନା ମୁତାବକ ଡାକ୍ତର କାରୁଆ ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ ଏବଂ ପରେ ହାଇଟେକ୍ ମେଡ଼ିକାଲ କଲେଜରେ ଚାକିରୀ କରୁଥିଲେ। କିନ୍ତୁ ସମ୍ପୃକ୍ତ ଅଧିକାରୀଙ୍କୁ ସନ୍ଦେହ ହେବାରୁ ସେଠାରୁ ତଡା ଖାଇଥିଲେ। ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଲା ଘରୋଇ ସଂସ୍ଥାରୁ ତଡା ଖାଇଲା ପରେ ଓଡିଶା ସରକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନକରି କିଭଳି ଭାବେ ତାଙ୍କୁ ଚାକିରୀ ଦେଇଥିଲେ ? ଏଭଳି ଅଭିଯୋଗ ଉପରେ ସୁନ୍ଦରଗଡ଼ ସିଡିଏମଓ ଏହାର ତଦନ୍ତ ଚାଲିଛି ବୋଲି କହିଛନ୍ତି।