ନିରଞ୍ଜନଙ୍କ ଚିଠିରେ ‘ଗୁରୁ’ଙ୍କ ଦସ୍ତଖତ, ନିରଞ୍ଜନଙ୍କ ସମର୍ଥକ ବି ଖପ୍ପା

ନିରଞ୍ଜନଙ୍କ ଚିଠିରେ ‘ଗୁରୁ’ଙ୍କ ଦସ୍ତଖତ, ନିରଞ୍ଜନଙ୍କ ସମର୍ଥକ ବି ଖପ୍ପା

ନିରଞ୍ଜନଙ୍କ ଚିଠିରେ ‘ଗୁରୁ’ଙ୍କ ଦସ୍ତଖତ, ନିରଞ୍ଜନଙ୍କ ସମର୍ଥକ ବି ଖପ୍ପା
ଭୁବନେଶ୍ୱର : ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚଉକିରୁ ହଟାଇବା ପାଇଁ କଂଗ୍ରେସର ଗୋଟିଏ ଗୋଷ୍ଠୀ ବେଶ ସତର୍କତାର ସହ ଗୋଟି ଚାଳନା ଜାରି ରଖିଛନ୍ତି । କେବେ ଭୁବନେଶ୍ୱରର ତ କେବେ ଦିଲ୍ଲୀରେ ଚାଲିଛି ମନ୍ତ୍ରଣା । ଅପରପକ୍ଷରେ ନିରଞ୍ଜନଙ୍କ ସମର୍ଥକମାନେ ନିରଞ୍ଜନଙ୍କ ପାଇଁ ଅଂଟା ଭିଡ଼ି କାଉଂଟର ରଣନୀତି ବି କରୁଛନ୍ତି । ତେବେ ପିସିସି ସଭାପତିଙ୍କ ଚିଠିରେ ପଦ୍ମାକର ଗୁରୁଙ୍କର ଦସ୍ତଖତକୁ ନେଇ ନିରଞ୍ଜନଙ୍କ ସମର୍ଥକମାନେ ମଧ୍ୟ ଖପ୍ପା ହୋଇଥିବା କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଚାଲିଛି । କଂଗ୍ରେସର ଜଣେ ନେତାଙ୍କ କହିବାନୁଯାୟୀ, ଆମେ ସମସ୍ତେ ନିରଞ୍ଜନଙ୍କ ପାଇଁ ଲଢେ଼ଇ କରୁଛୁ । ଦଳକୁ ମଜବୁତ କରିବାରେ ଲାଗିପଡ଼ିଛୁ । କିନ୍ତୁ ଏବେ ଖୋଦ ନିରଞ୍ଜନଙ୍କ ପରିବର୍ତିତ ଆଭିମୁଖ୍ୟ ସେମାନଙ୍କୁ ଆଶଙ୍କାରେ ପକାଇ ଦେଇଛି । ଆଗରୁ ପିସିସି ସଭାପତି କୌଣସି ଦଳୀୟ କାର୍ଯ୍ୟକ୍ରମ ନେଇ ଜିଲ୍ଲା ସଭାପତି ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନଙ୍କୁ ପତ୍ର ଲେଖୁଥିଲେ । ପତ୍ର ଲେଖନ୍ତୁ ବା କୌଣସି ସୂଚନା ଦିଅନ୍ତୁ ସେଥିରେ ନିରଞ୍ଜନ ପଟ୍ଟନାୟକ ହିଁ ଦସ୍ତଖତ ମାରୁଥିଲେ । ତଳେ ତାଙ୍କ ନାମ ହିଁ ଲେଖା ଯାଉଥିଲା । କିନ୍ତୁ ଏବେ ଆଉ ନିରଞ୍ଜନଙ୍କ ନାମରେ କୌଣସି ପ୍ରେସ ରିଲିଜ ବା ସୂଚନା ଆସୁନାହିଁ । ହ୍ୱାଟସଆପ ମେସେଜ ହେଉବା ଇ-ମେଲରେ ନିରଞ୍ଜନଙ୍କ ବଦଳରେ ପଦ୍ମାକର ଗୁରୁ ବୋଲି ଉଲ୍ଳେଖ କରାଯାଉଛି । ପିସିସି ସଭାପତିଙ୍କ ପିଏସ ବୋଲି ଉଲ୍ଲେଖ କରାଯାଉଛି । ତେବେ ସେ ବ୍ୟକ୍ତିଗତ ସଚିବ ନା ରାଜନୈତିକ ସଚିବ ତାହା ବି ସ୍ପଷ୍ଟ ହୋଇପାରୁନାହିଁ । ସେହିପରି ପିସିସିରେ ସେଭଳି ଆଳଙ୍କାରିକ ପଦବୀ ମଧ୍ୟ ନାହିଁ । କଂଗ୍ରେସର ସାଂଗଠନିକ ଢ଼ାଂଚାରେ ସେଭଳି ପଦବୀ ନଥିବାବେଳେ ପଦ୍ମାକର ଗୁରୁଙ୍କର ଦସ୍ତଖତରେ ଆସୁଥିବା ଚିଠିକୁ ନେଇ ସ୍ୱାଭାବିକମାନେ ଅନେକ କଂଗ୍ରେସ ନେତା ଖପ୍ପା ଥିବା ଜାଣିବାକୁ ମିଳିଛି । ଏମିତିକି ନିରଞ୍ଜନଙ୍କ ସମର୍ଥକମାନେ ବି ଏଭଳି ବ୍ୟବସ୍ଥାକୁ ଗ୍ରହଣ କରିପାରୁନାହାନ୍ତି ।