ନୁପୁରଙ୍କ ବୟାନ: ଭାରତ ପାଇଁ ଚିନ୍ତା
ନୁପୁରଙ୍କ ବୟାନ: ଭାରତ ପାଇଁ ଚିନ୍ତା
ନୂଆଦିଲ୍ଲୀ: ନୁପୁର ଶର୍ମାଙ୍କ ବୟାନ କେବଳ ବିଜେପି ନୁହେଁ ଭାରତ ପାଇଁ ବି ଚିନ୍ତା ବଢ଼ାଇ ଦେଇଛି । ଏ ପ୍ରସଙ୍ଗରେ ବିଭିନ୍ନ ମୁସଲିମ ବହୁଳ ଦେଶ ଭାରତ ବିରୋଧରେ କଡ଼ା ମନ୍ତବ୍ୟ ରଖିଛନ୍ତି । ନୁପୁରଙ୍କୁ ସିନା ବିଜେପି ଦଳରୁ ନିଲମ୍ବିତ କରିଛି, ତଥାପି ଏ ବିବାଦ ଟଳିନି । ଏକ ନିର୍ଦ୍ଧିଷ୍ଟ ଧର୍ମକୁ ନେଇ ନୁପୁର ରଖିଥିବା ଆପତ୍ତିଜନକ ଟିପ୍ପଣୀ ବିରୋଧରେ ବିଶ୍ୱର ବିଭିନ୍ନ ଦେଶ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରସଙ୍ଗ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତର ସମ୍ମାନ ହାନି ଘଟିଥିବା କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ।
ଏଭଳି ମନ୍ତବ୍ୟ ନେଇ ଇରାକ, ଲିବିୟା, ମାଲେସିଆ, ତୁର୍କୀ ସମେତ ବିଭିନ୍ନ ଇସଲାମିକ ଦେଶ ମେଳି ହୋଇଛନ୍ତି । ମିଳିତ ଭାବେ ଏଭଳି ବିବାଦୀୟ ମନ୍ତବ୍ୟର ନିନ୍ଦା କରିଛନ୍ତି । ଏ ପ୍ରସଙ୍ଗରେ ସେମାନେ ଭାରତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ପ୍ରୟାସ ଚଳାଇଛନ୍ତି । ଆତଙ୍କୀ ସଂଗଠନ ମଧ୍ୟ ଏ ପ୍ରସଙ୍ଗ ନେଇ ଭାରତକୁ ଧମକ ଦେଲେଣି । ଅଲ୍ କାଏଦା ଭଳି ଆତଙ୍କୀ ସଂଗଠନ ଧମକ ଦେଲେଣି ଯେ ଆମେ କଡ଼ା ଜବାବ ଦେବୁ । ଭାରତର ମୁମ୍ବାଇ, ଦିଲ୍ଲୀ, ଗୁଜରାଟ ଓ ୟୁପିରେ ଆତ୍ମଘାତୀ ଆକ୍ରମଣ କରିବୁ ।
ଏ ପ୍ରସଙ୍ଗ ନେଇ ଦେଶରେ ବି ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ ସମେତ ବିଭିନ୍ନ ଦଳ ସିଧାସଳଖ ବିଜେପିକୁ ପୂରା ଘଟଣା ପାଇଁ ଦାୟୀ କରିଛନ୍ତି । ଏଭଳି ଆପତ୍ତିଜନକ ମନ୍ତବ୍ୟ ପାଇଁ ଭାରତ ନୁହେଁ, ବିଜେପି କ୍ଷମା ମାଗୁ ବୋଲି କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ।