ପାନ, ଗୁଟ୍ଖା ଖାଇ ମନ୍ଦିର ଗଲେ ଜୋରିମାନା

ପାନ, ଗୁଟ୍ଖା ଖାଇ ମନ୍ଦିର ଗଲେ ଜୋରିମାନା

ପାନ, ଗୁଟ୍ଖା ଖାଇ ମନ୍ଦିର ଗଲେ ଜୋରିମାନା
ପୁରୀ: ରଥଯାତ୍ରା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମନ୍ଦିରର ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏଣିକି ମନ୍ଦିର ଭିତରକୁ କେହି ପାନ, ଗୁଟଖା ଖାଇ ଯାଇପାରିବେ ନାହିଁ । ଅଗଷ୍ଟ ପହିଲାରୁ ଏ ନେଇ କଟକଣା ଜାରି କରାଯିବ । ଏହାକୁ କେହି ଉଲ୍ଲଂଘନ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବେ । ସେବକ, କର୍ମଚାରୀ, ଭକ୍ତ କେହି ବି ଏଥିରୁ ଛାଡ଼ ପାଇବେନି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ସେହିପରି ରଥଯାତ୍ରା ସମୟରେ ବ୍ୟବସ୍ଥାବଳୀ ଅନୁପାଳନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ନୀତି ଶୃଙ୍ଖଳିତ ହୋଇଥିଲେ ବି କିଛି ତ୍ରୁଟି ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା । ଗତ ବର୍ଷ ୪୮ ଜଣ ସେବକ ବ୍ୟବସ୍ଥାବଳି ଉଲ୍ଲଂଘନ କରିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୨୫ ରହିଥିବା ଭିଡିଓରୁ ଜଣାପଡ଼ିଛି । ତ୍ରୁଟି ଅନୁଧ୍ୟାନ ପାଇଁ ଆଜି ଏକ ୫ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ପରିଚାଳନା କମିଟିର ୫ ଗଣ ସଭ୍ୟ (ସେବକ ସମ୍ପ୍ରଦାୟ) ରହିବେ । ପରିଚାଳନା କମିଟି ସଦସ୍ୟ ମାଡ଼ବ ପୂଜାପଣ୍ଡାଙ୍କୁ ଏହାର ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । କମିଟି ତ୍ରୁଟି ଅନୁଧ୍ୟାନ କରିବା ପରେ ଆଇନ ମୁତାବକ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ଅନ୍ୟ ପକ୍ଷରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସ୍ନାନଯାତ୍ରା ଦିନ ବ୍ୟବସ୍ଥାବଳୀ ଉଲ୍ଲଘଂନ କରିଥିବା ପ୍ରସଙ୍ଗରେ ମତ ରଖିଥିଲେ ମୁଖ୍ୟ ପ୍ରଶାସକ । ଏହି ତ୍ରୁଟି ପାଇଁ ବିଧାୟକ ଶ୍ରୀ ଷଡଙ୍ଗୀ ବ୍ୟକ୍ତିଗତ ଭାବେ ତାଙ୍କୁ ସାକ୍ଷାତ କରି କ୍ଷମାପ୍ରାର୍ଥନା କରିବା ସହ ଦିଆଯାଇଥିବା ନୋଟିସର ଉତ୍ତର ପଠାଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ । ବୈଠକରେ ୨୦୧୮-୧୯ ଖର୍ଚ୍ଚ ହିସାବର ଅଡ଼ିଟ ରିପୋର୍ଟ ପରିଚାଳନା କମିଟି ଆଗରେ ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିବାରୁ ପରିଚାଳନା କମିଟି ସଭ୍ୟମାନେ ଖୁସି ପ୍ରକଟ କରିଥିଲେ । ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।