ପିପିଲି ଟିକେଟ ଆଶାୟୀ ଅଛନ୍ତି ରୁଦ୍ର ମହାରଥୀ

ପିପିଲି ଟିକେଟ ଆଶାୟୀ ଅଛନ୍ତି ରୁଦ୍ର ମହାରଥୀ

ପିପିଲି ଟିକେଟ ଆଶାୟୀ ଅଛନ୍ତି ରୁଦ୍ର ମହାରଥୀ
ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଆଗକୁ ଉପନିର୍ବାଚନ ହେବ । ଆଉ ଏହି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଆଉ ଟିକେଟ ପାଇଁ ଆଶାୟୀଙ୍କ କସରତ ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି । କିଛି ଦିନ ପୂର୍ବରୁ ଦିବଂଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ ବିଷୟରେ ମୁହଁ ଖୋଲିଥିଲେ । ତାଙ୍କୁ ଯଦି ପ୍ରାର୍ଥୀ କରାଯାଏ ତେବେ ସେ ଖୁସି ହେବେ ବୋଲି କହିଥିଲେ । ତେବେ ବର୍ତ୍ତମାନ ତାଙ୍କ ପୁଅ ରୁଦ୍ର ମହାରଥୀ ବି ଟିକେଟ ଆଶାୟୀ ଥିବା ଜଣାଯାଇଛି । ସିଧାସଳଖ ନହେଲେ ବି ପରୋକ୍ଷରେ ସେ ଟିକେଟ ପାଇଁ ଆଶାୟୀ ଥିବା ରୁଦ୍ର କହିଛନ୍ତି । ଏହି ପରିପ୍ରେକ୍ଷୀରେ ରୁଦ୍ର ମହାରଥୀ କହିଛନ୍ତି ଯେ, ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ । ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ ଓ ମା ପାଳନ କରିବୁ । ମା’ଙ୍କ ବି ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି । ବାପାଙ୍କ ସହ ମୁଁ ୨ଟି ନିର୍ବାଚନ ବୁଲିଛି । ମୋର ଅଭିଜ୍ଞତା ଅଛି । ମା’ଙ୍କ ବି ଅଭିଜ୍ଞତା ରହିଛି । ମାଟିର ଉନ୍ନତି ପାଇଁ ସର୍ବଦା ରୁଦ୍ର ମହାରଥୀ ରହିବ ବୋଲି ସେ କହିଛନ୍ତି ।