ବିଜେଡିର ପିପିଲି ସମରସଜ୍ଜା ଆରମ୍ଭ : ପ୍ରତାପ ଦେବ ହେଲେ ପର୍ଯ୍ୟବେକ୍ଷକ

ବିଜେଡିର ପିପିଲି ସମରସଜ୍ଜା ଆରମ୍ଭ : ପ୍ରତାପ ଦେବ ହେଲେ ପର୍ଯ୍ୟବେକ୍ଷକ

ବିଜେଡିର ପିପିଲି ସମରସଜ୍ଜା ଆରମ୍ଭ : ପ୍ରତାପ ଦେବ ହେଲେ ପର୍ଯ୍ୟବେକ୍ଷକ
ପିପିଲି: ବାଲେଶ୍ୱର ଓ ତିର୍ତ୍ତୋଲ ପରେ ଏବେ ପିପିଲି ଉପନିର୍ବାଚନ ଉପରେ ସମସ୍ତଙ୍କ ନଜର । ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ବିଧାନସଭା ଆସନ ପାଇଁ ଆଗକୁ ଉପନିର୍ବାଚନ । ପିପିଲି ଉପନିର୍ବାଚନ ପାଇଁ ବିଜେଡି ସମରସଜ୍ଜା ଆରମ୍ଭ କରିଛି । ବିଜେଡି ପକ୍ଷରୁ ପିପିଲି ପାଇଁ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି । ପ୍ରକାଶ ଯେ, ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି । ଆଉ ଟିକେଟ ପାଇଁ ଆଶାୟୀଙ୍କ କସରତ ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି । କିଛି ଦିନ ପୂର୍ବରୁ ଦିବଂଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଟିକେଟ ବିଷୟରେ ମୁହଁ ଖୋଲିଥିଲେ । ତାଙ୍କୁ ଯଦି ପ୍ରାର୍ଥୀ କରାଯାଏ ତେବେ ସେ ଖୁସି ହେବେ ବୋଲି କହିଥିଲେ । ଅନ୍ୟପଟେ ବିରୋଧୀ ଦଳ ଶିବିର ମଧ୍ୟ ଖୁବ ଚଳଚଞ୍ଚଳ ରହିଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶି୍ରତ ପଟ୍ଟନାୟକଙ୍କୁ ୨୦୧୯ ନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା । ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦଳର ଜିଲ୍ଲା ସଭାପତି ଭାବେ ଏହି ପଦ ପାଇଁ ସେ ପ୍ରଥମ ଦାବିଦାର ରହିଥିଲେ ମଧ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତା ଦିବଂଗତ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କ ପୁଅ ସମୀର ଗଜେନ୍ଦ୍ର, ଗତ ପଞ୍ଚାୟତ ନିର୍ବାଚନରେ ୨ଟି ପଞ୍ଚାୟତର ଉତ୍ତମ ପ୍ରଦର୍ଶନ କରିଥିବା ସମିତି ସଭ୍ୟ ଦୁର୍ଗାଚରଣ ରାଉତରାୟ ଦଳୀୟ ଟିକସ ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଶିବିରରେ ମଧ୍ୟ ପ୍ରାର୍ଥୀ ପାଇଁ ଜୋରଦାର ଲବି ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରେ ଯୁବନେତା ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା । ଦଳର ପୂର୍ବତନ ନେତା ଦଳ ପରିବର୍ତ୍ତନ କରିବା ଯୋଗୁଁ ଅଜିତଙ୍କ ପରାଜୟ ହୋଇଥିଲା । ଚଳିତ ଉପନିର୍ବାଚନ ପୂର୍ବରୁ ତାଙ୍କୁ ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିବାରୁ ସେ ପ୍ରାର୍ଥୀ ପାଇଁ ପ୍ରଥମ ଦାବିଦାର ଥିବା ବେଳେ ଦଳର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ମହିଳା ସାମ୍ମୁଖ୍ୟ ସମ୍ପାଦିକା ନିରୁପମା ପାତ୍ର, ରାଜ୍ୟ କଂଗ୍ରେସ ସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ସମେତ ମଧ୍ୟ ତାଙ୍କ ଜନସମ୍ପର୍କକୁ ନେଇ ଦଳୀୟ ଟିକସ ହାସଲ ଉଦ୍ୟମ ଜାରି ରଖିଛନ୍ତି ।