ପୁଣି ବୈଜୟନ୍ତ ଓ ଅପରାଜିତା ନିରାଶ

ପୁଣି ବୈଜୟନ୍ତ ଓ ଅପରାଜିତା ନିରାଶ

ପୁଣି ବୈଜୟନ୍ତ ଓ ଅପରାଜିତା ନିରାଶ

ଭୁବନେଶ୍ୱର : ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିରେ ପତିଆରା ବଢ଼ାଇବା ପାଇଁ ଢେ଼ର କସରତ କରିଥିଲେ ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀ । କିନ୍ତୁ ପୁରୁଣା ନେତାଙ୍କ ଆଗରେ ସେମାନଙ୍କ ଯାଦୁ ଫିକା ପଡ଼ିଯାଇଛି  । ନୂଆ ନେତାଙ୍କ ମଧ୍ୟରେ ଅଶ୍ୱିନୀ ବୈଷ୍ଣବ(ଯଦିଓ ସେ ଓଡ଼ିଶାର ନୁହଁନ୍ତି)ଙ୍କ ଦବଦବା ବଢ଼ିଥିବାବେଳେ ପୁରୁଣା ନେତାଙ୍କ ଉପରେ ଜାତୀୟ ନେତୃତ୍ୱ ଏବେବି ଭରସା ଅତୁଟ ରଖିଥିବା ପ୍ରମାଣିତ ହୋଇଛି  ।

ନିକଟରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟଙ୍କ ତାଲିକା ପ୍ରକାଶ ପାଇଛି  । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଓ ସାଂସଦ ବସନ୍ତ ପଣ୍ଡା ସ୍ଥାନ ପାଇଛନ୍ତି  । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଏଥିରେ ସାମିଲ ହୋଇଛନ୍ତି  । ରାଜ୍ୟ ବିଜେପି ପକ୍ଷରୁ ଅଶ୍ୱିନୀଙ୍କୁ ମିଶାଇ ଓଡ଼ିଶାରୁ ୪ ଜଣଙ୍କୁ ଜାତୀୟ କାର୍ଯ୍ୟକାରିଣୀରେ ସ୍ଥାନୀତ କରାଯାଇଛି  ବୋଲି କୁହାଯାଉଥିଲେବି ବାସ୍ତବରେ ଅଶ୍ୱିନୀ ହେଉଛନ୍ତି ରାଜସ୍ଥାନର  । ଯଦି ଓଡ଼ିଶାରୁ ସିଏ ରାଜ୍ୟସଭା ଯାଇଛନ୍ତି ବୋଲି ତାଙ୍କୁ ରାଜ୍ୟ ବିଜେପି ନିଜ ଖାତାରେ ଗଣୁଛି ତେବେ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ କେମିତି ଓଡ଼ିଶାରୁ ଗଣା ହେବେବୋଲି ଅନେକ ପ୍ରଶ୍ନ କରିଛନ୍ତି  ।

ତେବେ ସେ ଯାହାହେଉନା କାହିଁକି ଦଳ ପୁରୁଣା ନେତାଙ୍କ ଉପରେ ହିଁ ବେଶୀ ଭରସା କରିଛି  । ବୈଜୟନ୍ତ ପଣ୍ଡା ଦଳର ରାଷ୍ଟ୍ରୀୟ ଉପସଭାପତି ଥିବାବେଳେ ଅପରାଜିତା ଅଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର  । ଉଭୟ ଜାତୀୟ ରାଜନୀତିରେ ଦବଦବା ଜାହିର କରିବା ପାଇଁ ପ୍ରୟାସ କରୁଛନ୍ତି  । ଏବେ ତ ବୈଜୟନ୍ତ ଅଧିକାଂଶ ସମୟ ଦିଲ୍ଲୀରେ ହିଁ କାଟୁଛନ୍ତି  । ଗତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ଉଭୟ ନେତା କେନ୍ଦ୍ରମନ୍ତ୍ରୀ ହେବା ପାଇଁ ଆଶା ବାନ୍ଧିଥିଲେ  । କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା  । ଏବେ ଜାତୀୟ କାର୍ଯ୍ୟକାରିଣୀରେ ବି ସେମାନଙ୍କୁ ସ୍ଥାନ ମିଳିନାହିଁ  । ଏଥିରେ ଦେଶର ମାତ୍ର ୮୦ ଜଣ ସଦସ୍ୟ ରହିଛନ୍ତି  । ଏହା ଅତ୍ୟନ୍ତ କ୍ଷମତାଶାଳୀ କମିଟି  । ଆଗକୁ ଅପରାଜିତା ଓ ବୈଜୟନ୍ତ ଧର୍ମେନ୍ଦ୍ର ଓ ଜୁଏଲଙ୍କ ଭଳି ପତିଆରା ବଜାୟ ରଖିପାରୁଛନ୍ତି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର  ।