ପୁଣି ମାତିଲେଣି ଏଟିଏମ୍ ଲୁଟେରା
ପୁଣି ମାତିଲେଣି ଏଟିଏମ୍ ଲୁଟେରା
ଏଟିଏମରୁ ଗାଏବ ହୋଇଗଲା ଦେଢଲକ୍ଷ ଟଙ୍କା
ଭୁବନେଶ୍ୱର : ଏଟିଏମରୁ ଗାଏବ ହୋଇଗଲା ଦେଢଲକ୍ଷ ଟଙ୍କା । ଏଟିଏମ୍ ମେସିନରେ ଲୁହା ପାତ ଲଗାଇ ଲୁଟେରାମାନେ ଲକ୍ଷ ଲକ୍ଷ ଟଙ୍କା ବୋହି ନେଉଛନ୍ତି । ଗତ ୩ମାସ ଭିତରେ ଏମିତି ୪ରୁ ଅଧିକ ଘଟଣା ଦେଖିବାକୁ ମିଳିଛି । ତେବେ କ୍ୟାପିଟାଲ ଥାନା ଅଂଚଳରେ ପଞ୍ଚମ ଘଟଣା ଘଟିଛି ବାପୁଜୀ ନଗରରେ ଥିବା ଆରବିଏଲ୍ ଏଟିଏମରେ । ଏହି ଏଟିଏମରୁ ଲୁଟେରାମାନେ ବିଭିନ୍ନ ପର୍ଯ୍ୟାୟରେ ୧ଲକ୍ଷ ୭୫ହଜାର ଟଙ୍କା ଚୋରି କରିଥିବା ଜଣାପଡିଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ଶାଖା ପ୍ରବନ୍ଧକ ସୁନିଲ ମହାନ୍ତି । ପୁଲିସ ମାମଲା ରୁଜୁ କରି ଘଯଣାର ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ପରେ ପୁଣି ସହର ଫେରିଛନ୍ତି ଏଟିଏମ୍ ଲୁଟେରା । ଏଟିଏମକୁ କୌଣସି କ୍ଷତି ନପହଞ୍ଚାଇ ଲକ୍ଷଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ବାପୁଜୀନଗରରେ ଥିବା ଆରବିଏଲ୍ ଏଟିଏମର ଗତ ମାସରେ ୩ଟି ପର୍ଯ୍ୟାୟ ୧.୭୫ଲକ୍ଷ ଟଙ୍କା ନେଇ ଯାଇଛନ୍ତି । ପ୍ରଥମେ ୩୮ହଜାର ଟଙ୍କା, ତା’ପରେ ୧ଲକ୍ଷ ୧୫ହଜାର ଓ ଶେଷରେ ୨୦ହଜାର ଟଙ୍କା ନେଇ ଯାଇଛନ୍ତି ଲୁଟେରା । ଏ ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଟେର ପାଇନଥିଲେ। କିଛି ଦିନ ତଳେ ଅଡିଟ ସମୟରେ ଘଟଣା ପଦାକୁ ଆସିଥିଲା । ଏହାପରେ ଶାଖା ପ୍ରବନ୍ଧକ ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଲୁଟେରାଙ୍କ ସବୁ କାରନାମା ଏଟିଏମରେ ଲାଗିଥିବା ସିସିକ୍ୟାମେରାରେ କଏଦ ହୋଇଛି ।